ପୁରୀ: ଅରୁଣ ସ୍ତମ୍ଭ ହେଉଛି ଆସ୍ଥା ଓ ବିଶ୍ୱାସର ପ୍ରତୀକ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ପ୍ରଥମେ ସିଂହହାର ସମ୍ମୁଖରେ ଥିବା ଅରୁଣସ୍ତମ୍ଭ ଦର୍ଶନ ଓ ସ୍ୱର୍ଶ ସହ ପ୍ରଣିପାତ କରିଥା'ନ୍ତି। ଏହାପରେ ମନ୍ଦିରକୁ ପ୍ରବେଶ କରିଥା'ନ୍ତି। କେବଳ ଭକ୍ତ ନୁହଁନ୍ତି, ସେବାୟତ ମଧ୍ୟ ଏହାକୁ ପ୍ରଥମେ ଦର୍ଶନ ଓ ପ୍ରଣିପାତ କରିଥା'ନ୍ତି I ତେବେ ବ୍ରିଟିଶ ସମୟରୁ ଅରୁଣସ୍ତମ୍ଭ ଲୁହାବାଡ଼ ଦ୍ୱାରା ଘେରି ରହିଥିଲା I ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ କାଢ଼ି ପିତ୍ତଳ ବ୍ୟାରିକେଡ୍ ଲଗାଯାଇଛି। ଅରୁଣସ୍ତମ୍ଭର ସୁରକ୍ଷା ଓ ଦୀର୍ଘସ୍ଥାୟୀ ପାଇଁ ଏହି ପିତ୍ତଳ ବ୍ୟାରିକେଡ୍ ଲଗାଯାଇଥିବା କୁହାଯାଇଛି।
ହେଲେ ଏହାଦ୍ଵାରା ଶ୍ରଦ୍ଧାଳୁମାନେ ଆଉ ପୂର୍ବ ପରି ଅରୁଣ ସ୍ତମ୍ଭକୁ ସ୍ପର୍ଶ କରିପାରୁନାହାନ୍ତି I ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ଦୁଇ ଦିନ ହେବ ଏହାକୁ ପରିବର୍ତ୍ତନ କରାଯାଇ ପିତଳ ବ୍ୟାରିକେଡ଼ ଲଗାଯାଉଛି । ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଏହି ପିତଳ ବ୍ୟାରିକେଡ଼ ଲଗାଯାଉଛି । କିନ୍ତୁ ଏ ନେଇ କୌଣସି ସେବାୟତଙ୍କ ସହ ଆଲୋଚନା କରାଯାଇନାହିଁ । ପ୍ରାୟ ୪ ଫୁଟ୍ ଉଚ୍ଚର ପିତଳ ବ୍ୟାରିକେଡ଼ ଲଗାଯିବା ଦ୍ୱାରା ଅଧିକାଂଶ ଭକ୍ତ ଆଉ ଅରୁଣ ସ୍ତମ୍ଭ ସ୍ପର୍ଶ କରିପାରୁନାହାନ୍ତି।
ସୂଚନା ଅନୁସାରେ, ଜଗନ୍ନାଥ ମନ୍ଦିରର ଇତିହାସ ମାଦଳ ପାଞ୍ଜି ହିସାବରେ ଭୋଇ ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଶାସନ କାଳରେ କୋଣାର୍କ (ସୂର୍ଯ୍ୟ ମନ୍ଦିର)ରୁ ମରାଠା ଗୁରୁ 'ବ୍ରହ୍ମଚାରୀ ଗୋସାଇଁ' ଅରୁଣ ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ । ୩୪ଫୁଟ୍ ଉଚ୍ଚ ଏହି ଶିଳାସ୍ତମ୍ଭପୂର୍ବରୁ କୋଣାର୍କ ମନ୍ଦିରର ଶୋଭାବର୍ଦ୍ଧନ କରୁଥିଲା I ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ମୁଦ୍ରାରେ ଅରୁଣଙ୍କ ମୂର୍ତ୍ତି ରହିଛି I ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦୀ ରହିଛି ବୋଲି କୁହାଯାଏ I ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶୋଭା ପାଉଛି ଅରୁଣସ୍ତମ୍ଭ |