ଭୁୁବନେଶ୍ୱର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିବା ଘଟଣା ନେଇ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟ ରାଜନୀତି । ଏହି ଘଟଣାରେ ଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ ଗିରଫ କରି ସାରିଛି । ତେବେ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ଅଡି ବସିଥିବା ଓଏଏସ ସଂଘର କଲମଛାଡ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କୁ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ଡକରା ହୋଇଥିଲା । କାର୍ଯ୍ୟାଳୟରେ ଶୃଙ୍ଖଳାଗତ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ଜଗନ୍ନାଥ । ଏଥିସହ ସେ ଆଇନକୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପଟେ କିଛି ସମୟ ଜଗନ୍ନାଥଙ୍କ ଗିରଫଦାରୀ ନେଇ ସସପେନ୍ସ ଲାଗି ରହିଛି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମଙ୍କୁ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ପାର୍ଟି ସଭାପତି ମୋତେ ଡାକିଥିଲେ । ମୁଁ କାର୍ଯ୍ୟାଳୟକୁ ଆସି ଆଲୋଚନା କରିଛି । ଏହା ଆମ ଘରର ମାମଲା । ଆଲୋଚନା ସାରି ମୁଁ ଘରକୁ ଯାଉଛି । ଜଗନ୍ନାଥଙ୍କ ସହ ଶୃଙ୍ଖଳାଗତ କମିଟିର ଆଲୋଚନା ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଥିଲେ । ତେବେ ଜଗନ୍ନାଥ ପ୍ରଧାନଙ୍କୁ ନେଇ ଆଗାମୀ ସମୟରେ ପାର୍ଟିର ଆଭିମୁଖ୍ୟ କଣ ରହୁଛି ତାହା ଶୀଘ୍ର ଜଣା ପଡିବ । ଅନ୍ୟପଟେ ତାଙ୍କ ଗିରଫଦାରୀ ଆନ୍ଦୋଳନ ଜାରି ରଖିଛନ୍ତି ଓଏଏସ ସଂଘ । ଦୀର୍ଘ ସମୟ ଆନ୍ଦୋଳନ ଜାରି ରହିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ।
ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଘଟଣାକୁ ନିନ୍ଦା କରିଛନ୍ତି । ଜଗନ୍ନାଥ ପ୍ରଧାନଙ୍କ ଉପରେ ଯାହା ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସରକାର ଚିନ୍ତା କରିବେ ବୋଲି ମନମୋହନ କହିଛନ୍ତି । ଆଜି ପାର୍ଟିର ଆଭ୍ୟନ୍ତରୀଣ ବିଷୟରେ ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ହୋଇଛି । କଣ ଆଲୋଚନା ହୋଇଛି ତାହା ପ୍ରକାଶ କରି ହେବ ନାହିଁ ବୋଲି ମନମୋହ କହିଥିଲେ ।
ଏହା ପୂର୍ବରୁ ଆଜି ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ଆଇନକୁ ସବୁ ପ୍ରକାରର ସହଯୋଗ କରିବି ବୋଲି କହିଥିଲେ। ସେ ଲେଖିଥିଲେ ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।
ଅନ୍ୟପଟେ ଓଏଏସ ସଂଘ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ପ୍ରଦାନ କରିଛନ୍ତି। ସଂଘ ଦାବି କରିଛି ଯେ ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉ।ଫିଲଡରେ କାର୍ୟ୍ୟରତ ଅଫିସରଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ ସାଧାରଣ ବ୍ୟବସ୍ଥା ଉପରେ ହୋଇଛି। ସେପଟେ ରାଜ୍ୟସ୍ବ ମନ୍ତ୍ରୀ ଓଆରଏସ ସଂଘ ସହ ଆଲୋଚନା କରିଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ସହ ଓଆରଏସ ସଂଘର ଆଲୋଚନା ପରେ ଜୁରୁରୀ ସେବାରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି। ମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର ମାନେ କାର୍ୟ୍ୟରେ ଯୋଗ ଦେବେ।