ବାଲେଶ୍ୱର: ଲଗାଣ ବର୍ଷାର ଯୋଗୁଁ ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ ଅହୋରାତ୍ର ସଜାଗ ରହିଛି । ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି । ଏଯାବତ ଉଭୟ ଜିଲ୍ଲାର ୧୮ଟି ବ୍ଲକରୁ ଅଦ୍ୟାବଧି ୮୧୯୧ରୁ ଅଧିକ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି ।
ପୂର୍ବାଞ୍ଚଳ ଡିଆଇଜି ଡ଼ଃ ସତ୍ୟଜିତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ମୟୂରଭଞ୍ଜରେ ୬ଟି ଏବଂ ବାଲେଶ୍ୱରରେ ୫ଟି ଓଡ୍ରାଫ୍ ଦଳ ମୁତୟନ କରାଯାଇଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ବସ୍ତା, କମର୍ଦ୍ଦା, ସିଙ୍ଗଲା ଆଦି ଅଞ୍ଚଳର ୨ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ସେହିପରି ମୟୁରଭଞ୍ଜ ଜିଲ୍ଲାର ସାରସକଣା, ରସଗୋବିନ୍ଦପୁର, ବଡସାହି, ବେତନଟୀ ଏବଂ ବାରିପଦା ଅଞ୍ଚଳର ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଓଡ୍ରାଫ ଟିମର କର୍ମଚାରୀମାନେ ରାତି ଦିନ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।