ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମେୟର । ଆକ୍ରମଣ ଘଟଣା ପରେ ଏବେ ମେୟରଙ୍କୁ ଘାରିଛି ଅଫିସ ସୁରକ୍ଷା ଚିନ୍ତା । ମେୟର କହିଛନ୍ତି, "ଦୀର୍ଘ ଦିନ ହେବ ବିଏମସି ଅଫିସରେ ସିସିଟିଭି କାମ କରୁନି। ବିଲଡିଂ ମେଣ୍ଟେନାନ୍ସ ଦାୟିତ୍ବ ସ୍ମାର୍ଟ ସିଟି ଅଥୋରିଟି ବୁଝୁଥିବାବେଳେ କ'ଣ ପାଇଁ ଏ ସମସ୍ୟା ସଂପର୍କରେ ସେମାନେ ପୂର୍ବରୁ ଆଲୋଚନା କରିନଥିଲେ । କ'ଣ ପାଇଁ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥା ଥିଲା?" ଯଦି ସ୍ମାର୍ଟ ସିଟି କାମ କରିନପାରୁଛି ତେବେ ବିଏମସିକୁ ସେ ଦାୟିତ୍ୱ ହସ୍ତାନ୍ତର କରନ୍ତୁ। ଏଥିସହ ଆଗକୁ ଦରକାର ପଡିଲେ ଗନ୍ ମ୍ୟାନ୍ ରଖାଯିବ ବୋଲି ମେୟର କହିଛନ୍ତି । ଏଥିସହିତ ସେ ଦାବି କରିଛନ୍ତି, ବିଏମସି ଆକ୍ରମଣରେ ଯିଏବି ମାଷ୍ଟର ମାଇଣ୍ଡର ତାକୁ ଗିରଫ କରାଯାଉ ।
ଆଜି ବିଏମସି ଅତିରିକ୍ତ କମିଶନର୍ଙ୍କୁ ଆକ୍ରମଣ ଘଟଣାରେ ବିଏମସି ଅଫିସ୍ ରେ ପୋଲିସ କମିଶନର୍ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ମେୟର, କିଛି କର୍ପୋରେଟରଙ୍କ ସମେତ ଆକ୍ରମଣର ଶିକାର ଅତିରିକ୍ତ କମିଶନର୍ ରତ୍ନାକର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ଘଟଣା ବାବଦରେ ପୋଲିସ କମିଶନରଙ୍କ ସେମାନଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି ।
ସୋମବାର ବିଏମସି ଅଫିସରେ ଜନଶୁଣାଣୀ ଅଭିଯୋଗ ଚାଲିଥିବା ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରକୁ ଆକ୍ରମଣ ହୋଇଥିଲା । କିଛି ଦୁବୃର୍ତ ହଠାତ୍ କାର୍ଯ୍ୟାଳୟ ଭିତରକୁ ଫଶି ଆସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି।