ଭୁବନେଶ୍ୱର: ରାଜ୍ୟ ଓଏଏସ୍ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ି ମାରିବା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବି ଜୋର୍ ଧରିଛି । ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ କହିଛି ସଂଘ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବୈଠକରେ ପାରିତ ହୋଇଛି ।
ସେହିପରି ବୈଠକରେ ଆକ୍ରମଣ ଘଟଣାକୁ ବାଦ ଦେଇ ଅନ୍ୟାନ୍ୟ ଦାବି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମଧ୍ୟ ଦାବି ପତ୍ରରେ କୁହାଯାଇଛି । ଦାବି ପୂରଣ ନ ହେବା ଯାଏ ଓଏଏସ୍ ଅଧିକାରୀ ସମୂହ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛି ।
ସେପଟେ ସଂଘର ସ୍ୱରରେ ସ୍ୱର ମିଳାଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବିକୁ ସମର୍ଥନ କରିଛନ୍ତି ମେୟର । ମେୟର କହିଛନ୍ତି ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ । ତେଣୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ଆଉ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ୍ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ମେୟର ସମୂହ ଛୁଟି ସମର୍ଥନ କରିବା ସହ ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ । କମିଶନର ନିଜେ କହିଛନ୍ତି ଆଇନର ଊର୍ଦ୍ଧ୍ୱରେ କେହି ନୁହଁନ୍ତି କହିଛନ୍ତି ମେୟର ସୁଲୋଚନା ଦାସ ।