ଭୁବନେଶ୍ୱର: ମେ’ ମାସ ପହିଲାରୁ ରବି ଋତୁରେ ହୋଇଥିବା ବଳକା ଧାନ ମଣ୍ଡିରେ କିଣା ଆରମ୍ଭ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ମେ’ ୧ରୁ ଜୁନ୍ ୩୦ ଯାଏଁ ରବି ଧାନ କିଣା ହେବ। ଧାନ ଏମ୍ଏସ୍ପି ୨୩୬୯ ଟଙ୍କା ବ୍ୟତୀତ ଇନପୁଟ୍ ସହାୟତା ୭୩୧ ଟଙ୍କା ମିଳିବ। ଏଥିପାଇଁ ମାର୍ଚ୍ଚ ୧୦ରୁ ୨୦ ଯାଏ ଚାଷୀଙ୍କ ପଞ୍ଜୀକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ କିଣିବାକୁ ଟାର୍ଗେଟ୍ ରଖିଛନ୍ତି।
ଚଳିତ ବର୍ଷ ମଧ୍ୟ ବାଲେଶ୍ଵର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ୨୦ ଜିଲ୍ଲାରେ ରବି ଧାନ କିଣା ହେବ। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଖରିଫ୍ ଭଳି ଆସନ୍ତା ରବି ଋତୁରେ ମଧ୍ଯ ରାଜ୍ୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣା ହେବ।
ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ (OSCSC) ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରିବ। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ), ଲାମ୍ପସ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ଧାନ କିଣା ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବାବଦରେ ପ୍ରତି କୁଇଣ୍ଟାଲ ୨୩୬୯ ଟଙ୍କା ଓ “କୃଷକ ସମୃଦ୍ଧି ଯୋଜନା” ଅଧୀନରେ ଇନପୁଟ୍ ସହାୟତା ବାବଦରେ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ପ୍ରଦାନ କରାଯିବ।
ରାଜ୍ୟ ସରକାର ଟାର୍ଗେଟ୍ ରଖିଥିଲେ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଚାଷୀଙ୍କଠାରୁ ଖରିଫ ଧାନ କିଣାଯିବ। ପ୍ରାୟ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏବେ ସୁଦ୍ଧା ୧୬,୩୩,୦୩୬ ଜଣ ଚାଷୀଙ୍କଠାରୁ ୬୯,୦୧,୧୯୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି। ଆହୁରି ପ୍ରାୟ ସାଢ଼େ ୩ ଲକ୍ଷ ପଞ୍ଜୀକୃତ ଚାଷୀ ଧାନ ବିକି ନଥିବାବେଳେ ସରକାରଙ୍କ ଟାର୍ଗେଟ୍ ପୂରଣ ହେବାକୁ ଆଉ ୪ ଲକ୍ଷ ମେଟ୍ରିକ ଟନ୍ ଧାନ ଆବଶ୍ୟକ ଅଛି। ହଜାର ହଜାର ଚାଷୀଙ୍କ ଟୋକନ୍ ଲାପ୍ସ କରିଗଲାଣି। ଜିଲ୍ଲାସ୍ତରରେ ମିଲର୍ ଧାନ ଉଠାଉନଥିବାରୁ ବାହାର ଜିଲ୍ଲାର ମିଲର୍ଙ୍କୁ ଧାନ ଉଠାଇବାକୁ ଅନୁରୋଧ କରାଯାଉଛି। ଏମିତି ସମୟରେ ରବି ଧାନ କିଣିବା ନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ସେପଟେ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ସବୁ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣା ହେବ। ମାର୍ଚ୍ଚ ୩୧ ସୁଦ୍ଧା ଖରିଫ ଧାନକିଣା ପ୍ରକ୍ରିୟା ଶେଷ ହେବ। ଏହି ସମୟ ଭିତରେ ସମସ୍ତଙ୍କ ଧାନ କିଣା ହେବ। ଚାଷୀ ବ୍ୟସ୍ତ ହୁଅନ୍ତୁନି। ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି କାରଣରୁ ଟଙ୍କା ଜମା ହୋଇନି ତା’ର ଖୁବ୍ ଶୀଘ୍ର ସମାଧାନ କରାଯିବ। ମିଲର୍ମାନେ ଧାନ ଉଠାଉଛନ୍ତି।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ; ଦୁର୍ଘଟଣାରେ ୩ ଗୁରୁତର