ଭୁବନେଶ୍ୱର: ପୁଣି ଜଣେ ବଡ଼ ସରକାରୀ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ୍ ବି ଡିଭିଜନ୍ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଭୁବନେଶ୍ୱର ଓ ନୟାଗଡ଼ ସମେତ ୧୦ ଟି ସ୍ଥାନରେ ଏକକାଳୀନ ଚଢ଼ଉ ହେଉଛି । ଏଥିରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସ୍ପି, ୫ ଜଣ ଇନସ୍ପେକ୍ଟର୍, ଜଣେ ଏସ୍ଆଇ ଓ ୧୧ ଏଏସ୍ଆଇ ସାମିଲ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର କୋରାପୁଟ ଜିଲ୍ଲା ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକ ଗିରଫ ହୋଇଥିଲେ । ତାଙ୍କ ଘରୁ ୧ କୋଟି ୪୪ ଲକ୍ଷ ଟଙ୍କା ନଗଦ କ୍ୟାସ୍ ସହିତ ୧ କୋଟି ୩୨ ଲକ୍ଷ ବ୍ୟାଙ୍କ ଜମା ରାଶି, ଏକ ବହୁମହଲା ବିଶିଷ୍ଟ ଘର, ୩ଟି ଫ୍ଲାଟ୍, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୫୦୪ କିଲୋଗ୍ରାମ ସୁନା, ୪.୬୩୭ କିଲୋଗ୍ରାମ ରୂପା ଓ ୨ଟି ଚାରି ଚକିଆ ଗାଡ଼ି ଠାବ କରାଯାଇଥିଲା ।