ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ସ୍ପଷ୍ଟ ଦିବାଲୋକରେ ଛୁରାମାଡ଼ ହୋଇଛି। ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ହୋଇଥିବା ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ ୨ ଜଣ ଦାଦା ପୁତୁରା ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ ବୋଲି ଜଣାପଡ଼ିଛି। ଉଭୟ ମାର୍କଣ୍ଡେଶ୍ୱର ସାହି ଅଂଚଳର ବୋଲି ସୂଚନା ମିଳିଛି ।
ତେବେ ଛୁରାମାଡ଼ କାହିଁକି ହେଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଆକ୍ରମଣ ପରେ ଘଟଣାସ୍ଥଳରୁ ଦୁବୃର୍ତ୍ତ ଫେରାର ହୋଇଯାଇଛି। ସିଂହ ଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରୟାସ ଆରମ୍ଭ କରାଯାଇଛି।