ବଲାଙ୍ଗୀର: ନିଶା ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ସଫଳତାର ସହିତ ଆଗେଇ ଚାଲିଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୋଲିସ ଅଭିଯାନରେ ପୋଲିସକୁ ଦ୍ୱିତୀୟ ସଫଳତା ମିଳିଛି । ଟିଟିଲାଗଡ ପୋଲିସ ଶନିବାର ୪ କିଲୋଗ୍ରାମ ଗଞ୍ଜେଇକୁ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ ସମ୍ପୃକ୍ତିରେ ଜଣେ ଅଣଓଡ଼ିଆ ଯୁବକଙ୍କୁ ଅଟକ ରଖାଯାଇଛି ।
ଟିଟିଲାଗଡ଼ ଥାନା ଅଧିକାରୀ କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶନିବାର ସକାଳୁ ସକାଳୁ ସିରଭଟାପଡ଼ା ରେଳ ଷ୍ଟେସନ ନିକଟସ୍ଥ ରେଳବାଇ କଲୋନୀ ନିକଟରେ ଅତର୍କିତ ଚଢ଼ଉ କରିଥିଲେ । ଜଣେ ଯୁବକ ବୁଲୁଥିବାବେଳେ ତାକୁ ଅଟକାଇ ପଚରା ଉଚୁରା କରିବା ସହ ଧରିଥିବା ବ୍ୟାଗକୁ ଯାଞ୍ଚ କରିଥିଲେ । ସେହି ବ୍ୟାଗରୁ ବିପୁଳ ପରିମାଣରେ ଗଞ୍ଜେଇ ବାହାରିଥିଲା । ଟିଟିଲାଗଡ଼ ତହସିଲଦାର ସୁଭାଶିଷ ଶତପଥୀଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୪ କିଲୋ ୫୦ ୫୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ପୋଲିସ ମୁକେଶ ପାଟୁଆ ନାମକ ଯୁବକକୁ ଅଟକ ରଖାଯାଇଛି । ସେ ଛତିଶଗଡ଼ର ବାସିନ୍ଦା ଅଟନ୍ତି । ଅଧିକ ତଦନ୍ତ ପାଇଁ ପୋଲିସ ଉକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ "ଅପରେସନ୍ ପ୍ରହାର"ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ସପ୍ତାହକ ମଧ୍ୟରେ ସମୁଦାୟ ୧୧୦ଟି ମାମଲା ରୁଜୁ କରାଯାଇଥିବାବେଳେ ୧୫୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୭୨ ଟି ମାମଲା ରୁଜୁ କରାଯିବା ସହ ୪୮୦୮ କେଜି ଗଞ୍ଜେଇ ଜବତ କରାଯାଇଛି ଏବଂ ମାମଲାରେ ସମ୍ପୃକ୍ତ ଥିବା ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।