ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟିହୋଇଛି ଲଘୁଚାପ କ୍ଷେତ୍ର । ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଯାହା ଫଳରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଲଘୁଚାପ ପ୍ରଭାବରେ ଆଜି ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ୪ ଜିଲ୍ଲା କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଏବଂ ରାୟଗଡ଼ା ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ଉପକୂଳସ୍ଥିତ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆସନ୍ତାକାଲି ସମୁଦ୍ର ମଧ୍ୟକୁ ମତ୍ସଜୀବୀଙ୍କ ପ୍ରବେଶକୁ ବାରଣ କରାଯାଇଛି ।
ଅଧିକ ପଢନ୍ତୁ: ୮ ଦିନ ଚାଲିବ ଐତିହାସିକ ବାଲିଯାତ୍ରା, କେବଳ ତଳ ପଡ଼ିଆରେ ପଡ଼ିବ ଷ୍ଟଲ୍