ଖୋର୍ଦ୍ଧା: ଜଙ୍କିଆ ଛଣଗିରି ସାଇ ସୋନୁ ଅଳଙ୍କାର ଦୋକାନରୁ ଗହଣା ଲୁଟ୍ ଘଟଣାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଚୋରି ହୋଇଥିବା ୧ କିଲୋ ୧୩ ଗ୍ରାମ୍ ସୁନା ଓ ୨ କିଲୋ ୨୩୧ ଗ୍ରାମ୍ ରୁପା ଜବତ କରାଯାଇଛି । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ଜଣେ ପୁରୀ କଣାସ ହୋଇଥିବା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ତେବେ ଆହୁରି ଦୁଇ ଜଣ ଏବେବି ଫେରାର ଥିବା କୁହାଯାଉଛି ।
ଏମାନଙ୍କୁ ମିଶାଇ ଗିରଫଦାର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତ ୨ ତାରିଖରେ ଉକ୍ତ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । କଟକ ଜିଲ୍ଲା ବେଣ୍ଟକର ଥାନା ୪୨ ମୌଜାର ଝିଙ୍କିରିଆ ଗ୍ରାମର ବିଶ୍ୱଜିତ୍ ପଟ୍ଟନାୟକ (୨୨) ଓରଫ ଲକି, ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡା କଇଁଫୁଲିଆ ଗ୍ରାମର ଅଶୋକ ସେନାପତି (୩୨) ଓରଫ ବୁଲୁ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଭୀମପଡା ଟାଙ୍ଗିସାହିର ଚନ୍ଦନ ନାୟକ ( ୨୫) ଏବଂ ସଂପୁର ଗ୍ରାମର ନବ ସାହୁ ଗିରଫ ହୋଇଛନ୍ତି । ପୂର୍ବରୁ ମଧ୍ୟ ପ୍ରାୟ ଏକ କିଲୋ ସୁନା ଓ ୨୪୦୦ ଗ୍ରାମ ରୁପା ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଫଳରେ ମୋଟ ୨ କିଲୋ ସୁନା ଓ ୪୫୦୦ ଗ୍ରାମ୍ ରୁପା ଜବତ ଉଦ୍ଧାର ହୋଇଛି ।
ପ୍ରକାଶ ଥାଉକି, ଅଗଷ୍ଟ ୨୪ ତାରିଖରେ ଦିନ ୨ ଟା ବେଳେ ୪ଟି ବାଇକରେ ୮ ଜଣ ଡକାୟତ ସାଇ ସୋନୁ ଅଳଙ୍କାର ଦୋକାନକୁ ଆସିଥିଲେ । ସମସ୍ତେ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିଲେ । ଦୁଇ ଜଣ ବାହାରେ ଥିବାବେଳେ ୬ ଜଣ ଦୋକାନ ଭିତରକୁ ପଶିଥିଲେ । କର୍ମଚାରୀମାନଙ୍କୁ ଭୟଭୀତ କରାଇ ଏକ ବସ୍ତାରେ ସମସ୍ତ ଗହଣା ଭର୍ତ୍ତି ଚମ୍ପଟ ମାରିଥିଲେ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ ଉପରକୁ ଗୁଳି କରିବା ସହିତ ବୋମା ମାଡ଼ ମଧ୍ୟ କରିଥିଲେ । ଦୋକାନ ମାଲିକ ପୁଷ୍ପ ରଞ୍ଜନ ସାହୁଙ୍କ ପତ୍ନୀ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡକାୟତମାନେ ସମୁଦାୟ ୧୧ କିଲୋ ୫୦୦ ଗ୍ରାମ ସୁନା ଓ ୫ କିଲୋଗ୍ରାମ ରୁପା ଅଳଙ୍କାର ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ୫୫ ଲକ୍ଷ ଟଙ୍କା ହେବ।