ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଆଜି ଗୋଟିଏ ଦିନରେ ଚାରି ସରକାରୀ ଅଧିକାରୀଙ୍କୁ ଧରିଛି । ଲାଞ୍ଚ ନେବା ଏବଂ ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ସମ୍ବଲପୁର, ମୟୂରଭଞ୍ଜ ଏବଂ ନୟାଗଡ଼ରେ ଏକକାଳୀନ ଚଢ଼ଉ ବେଳେ ୩ ଜଣ ଧରାପଡ଼ିଛନ୍ତି । ସେହିପରି ଆୟବର୍ହିଭୂତ ସମ୍ପତ୍ତିଠୁଳ କରିଥିବା ଭୂତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀ ନିରାକର ରାଉତଙ୍କ ସମସ୍ତ ସମ୍ପତ୍ତି ଜବତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଛି । ଏକ ମ୍ୟୁଟେସନ୍ ମାମଲାରେ କୃଷି ଜମିକୁ ଗୃହଭୂମିରେ ପରିବର୍ତ୍ତନ କରିବା ପାଇଁ ସେ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ଗିରଫ ହୋଇଛନ୍ତି। ପ୍ରାୟ ଏକ ମାସ ଧରି, ଅଭିଯୋଗକାରୀ କୃଷି ଜମିକୁ ଗୃହଜମିରେ ପରିବର୍ତ୍ତନ କରିବା ପାଇଁ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରି ଆସୁଥିଲେ । କିନ୍ତୁ ତହସିଲଦାର ଅଭିଯୋଗ ସପକ୍ଷରେ ପରିବର୍ତ୍ତନ ଏବଂ ଆରଓଆର୍ ଜାରି କରିବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଏତେ ପରିମାଣର ଲାଞ୍ଚ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧୫,୦୦୦ ଟଙ୍କାରେ କଥା ଛିଡ଼ିଥିଲା । ଅନ୍ୟ କୌଣସି ବିକଳ୍ପ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଜଣାଇଥିଲେ । ଏହା ପରେ ତହସିଲଦାର ନିଜେ ଟଙ୍କା ନ ନେଇ ନିଜ ଡ୍ରାଇଭର ପି. ପ୍ରବୀଣ କୁମାରଙ୍କ ମାଧ୍ୟମରେ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଧରିଥିଲା । ଭିଜିଲାନ୍ସ ତହସିଲଦାର ଏବଂ ଡ୍ରାଇଭରଙ୍କୁ ନିଜ ହେପାଜତକୁ ନେଇଛି । ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଯାଞ୍ଚ ସମୟରେ ମାଟି ତଳେ ରଖାଯାଇ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରାଯାଇଛି ।
ସେହିପରି ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲ୍ଓ) ଚିତ୍ତରଞ୍ଜନ ରାଉତ ଶ୍ରମିକ କାର୍ଡ ଦେବାକୁ ଦିନ ମଜୁରିଆଙ୍କଠାରୁ ଲାଞ୍ଚ ନେବାକୁ ପଛାଇ ନ ଥିଲେ । ଡିଏଲ୍ଓ ଜଣେ ଶ୍ରମିକ (ଅଭିଯୋଗକାରୀ) ଏବଂ ଅନ୍ୟ ୧୯ ଜଣ ଶ୍ରମିକଙ୍କ ନାମରେ ଶ୍ରମିକ କାର୍ଡ ପ୍ରଦାନ କରିବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀମାନେ ଗରିବ ଶ୍ରେଣୀର ହୋଇଥିବାରୁ ଲାଞ୍ଚ ଟଙ୍କା ଦେବାକୁ ସକ୍ଷମ ନ ଥିଲେ । ଏପରି କରି ଶ୍ରମ ଅଧିକାରୀ ପ୍ରାୟ ଏକ ବର୍ଷ ଗଡ଼ାଇ ଥିଲେ । ଏହା ପରେ ଶ୍ରମିକମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଅଭିଯୋଗକାରୀ ୬୦୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଡିଏଲ୍ଓଙ୍କୁ ଭିଜିଲାନ୍ସ ଧରିଥିଲା । ଡିଏଲଓଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲା ବିଜାତୋଲା ବ୍ଲକ ଲୁହାସିଲା ଗ୍ରାମପଞ୍ଚାୟତର ପୂର୍ବତନ ପିଇଓଙ୍କ ବିରୁଦ୍ଧରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର୍ କରିଥିବା ଅଭିଯୋଗ ହୋଇଛି । ବାର୍ଦ୍ଧକ୍ୟ ଭତ୍ତା ବାବଦ ପାଇଁ ଉଦ୍ଦିଷ୍ଟ ୫ ଲକ୍ଷ ୬୮ ହଜାର ୯୫୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି ।
ସେପଟେ ଭୁବନେଶ୍ୱରର ପୂର୍ବତନ ବରିଷ୍ଠ ଭୂତତ୍ତ୍ୱ ଅଧିକାରୀ ନିରାକାର ରାଉତଙ୍କ ସମ୍ପତ୍ତିକୁ ଜବତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୫ ଫେବୃଆରୀ, ୨୦୧୮ରେ ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଚଢ଼ଉ ସମୟରେ ଏହି ସମ୍ପତ୍ତି ଠାବ କରାଯାଇଥିଲା । ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଜବତ କରାଯିବ ।