ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେଭିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲାପାଳ ବେଦ ଭୂଷଣ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ପ୍ରଧାନଶିକ୍ଷକ ହେଉଛନ୍ତି ମନୋରଞ୍ଜନ ସାହୁ । କାର୍ଯ୍ୟରେ ଅବହେଳା, ବିଦ୍ୟାଳୟରେ ରହୁ ନ ଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ମୁତାବିକ, ଗୁରୁବାର ରାତି ୯ଟା ସମସ୍ତେ ଖାଇ ଶୋଇଲା ବେଳେ କିଛି ଜଣ ସହପାଠୀ ଛାତ୍ର ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଲଗାଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଗୋଛପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଚିକିତ୍ସା ଚାଲିଛି । ଗୁରୁତର ଛାତ୍ରଙ୍କ ଭିତରୁ ଜଣଙ୍କ ଅବସ୍ଥା ଭଲ ନ ଥିବା ଜଣାପଡିଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାର ତଦନ୍ତ କରିଛନ୍ତି। ଖୁବଶୀଘ୍ର ଏହାର ରିପୋର୍ଟ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ।