ପୁରୀ : ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏହିଦିନ ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । କାରଣ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳ ପୂର୍ଣ୍ଣିମା । ଫାଲଗୁନ ଶୁକ୍ଲ ଦଶମୀରୁ ଚୈତ୍ର ଶୁକ୍ଲ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ ।
ତେବେ ଦୋଳ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ କେତେକ ବିଶେଷ ନୀତି ଅନୁଷ୍ଠିତ ହେବ । ସେବାୟତମାନେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀ ଦୋଳିରେ ବିଜେ କରାଇବେ । ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବ।ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ । ଏହି ସମୟରେ ଭକ୍ତମାନେ ଯେଉଁଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।