ଫୁଲବାଣୀ: ସରକାରୀ ଅର୍ଥ ଆତ୍ମସାତ କରିବା ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅଧିନସ୍ଥ ସରମୂଳୀ ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବିଭାଗ ଗିରଫ କରିଛି । ସେ ୫୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ଅକ୍ଟୋବର ୩୧, ୨୦୨୩ ରୁ ନଭେମ୍ବର ୧୮, ୨୦୨୪ ମଧ୍ୟରେ ଅକ୍ରୁର ମାଝୀ ସରମୂଳୀ ଗ୍ରାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବାବେଳେ ପଞ୍ଚାୟତ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିଲା । ପିଇଓ କାମ ହୋଇଯାଇଥିବା ନେଇ କ୍ୟାସ ବୁକରେ ଦର୍ଶାଇ ୫୩, ୩୮, ୮୦୯ ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିଲେ । କିନ୍ତୁ ପରେ ଜଣାପଡ଼ିଥିଲା କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଗିରଫ କରିଛି ।
ଅକ୍ରୁର ମାଝୀଙ୍କୁ ଫୁଲବାଣୀସ୍ଥି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବାର ରହିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।