ଭୁବନେଶ୍ୱର: ପୁଣି ଥରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ୩ ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ। ସ୍ଥିତି ଯଦି ଅଣାୟତ୍ତ ଥାଏ , ତେବେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ।
ସେହିପରି ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। କେନ୍ଦ୍ରୀୟ ଏବଂ ସ୍ଵାସ୍ଥ୍ୟ ବିଭାଗ ଟିମ୍ ଆଜି ଫୋକସ୍ ରେ ଥିବା ୩ ଜିଲ୍ଲା ଯଥା କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଏବଂ ଏହି ଟିମ୍ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ।
ଗ୍ରୀଷ୍ମ ଅବକାଶ ପରେ ଆସନ୍ତାକାଲି (ଜୁନ୍ ୨୦)ରେ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇଥିଲା । ମାତ୍ର ଏବେ ରାଜ୍ୟରେ ଡାଇରିଆ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ଏଭଳି କହିଛନ୍ତି। ତେବେ ସ୍ଥାନୀୟ ଜିଲ୍ଲାପାଳ ଏନେଇ ନିଷ୍ପତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗତ ଅପ୍ରିଲ ୨୨ ତାରିଖରୁ ସ୍କୁଲ ବନ୍ଦ ଘୋଷଣା ହୋଇଥିଲା । ଅତ୍ୟଧିକ ଖରା ଓ ଗରମ ଯୋଗୁଁ ସରକାର ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ।
ଅନ୍ୟପଟେ ଆସନ୍ତା ୨୦ ତାରିଖରେ ଭୁବନେଶ୍ବର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍। ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣ ଶିକ୍ଷା ବିଭାଗ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍ ଛୁଟି ରଖିବାକୁ ନିର୍ଦ୍ଦେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ। ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ନିଷ୍ପତ୍ତି ନେଇଛି ବିଭାଗ।