ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ଏକ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୯ ଜଣ ଡିସିପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ଡିଏସପି, ୧୦୬ ଜଣ ଇନସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏହାସହ ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରଯାଇଛି।
ତେବେ ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଭୁବନେଶ୍ୱର ଏୟାରପୋର୍ଟରୁ ପାଓ୍ବରାହାଉସ ଛକ ପର୍ଯ୍ୟନ୍ତ ହେବ ରୋଡ ସୋ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଛକ, ଏଜି ଛକରୁ ରାଜ ଭବନ, ରାଜଭଵନରୁ ଗୋଲେଇରୁ ଜୟଦେବ ବିହାର ଏବଂ ଜୟଦେବବିହାର ଛକରୁ ଜନତା ମୈଦାନ ରହିବ ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନ। କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ରୁଫ ଟପ୍ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ନିୟୋଜିତ ରହିବେ। ଏଥିପାଇଁ ସେଣ୍ଟ୍ରାଲ ଏଜେନ୍ସିଙ୍କ ସହ କମିସନରେଟ ପୋଲିସ ମିଶି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଏହାସହ ଅନେକ ସ୍ଥାନରେ ପୋଲିସ ଚେକିଂ ସହ ସହର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଏପରିକି ସହରରେ ରାତ୍ରିକାଳୀନ ଚେକିଂ କଡାକଡି ସହ ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲରେ ମଧ୍ୟ ଚେକିଂ ଜୋରଦାର ହେଉଛି ।