ଯାଜପୁର: ରାଜ୍ୟର ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗ୍ରୀଷ୍ମ ଅବକାଶ ପରେ ଆସନ୍ତାକାଲି ସ୍କୁଲ ଖୋଲିଥାନ୍ତା କିନ୍ତୁ ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ଉପରେ ନଜର ରଖିବେ । ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦେବେ । କିପରି ପିଲାମାନେ ବିଶୁଦ୍ଧ ପାଣି ପିଇବେ ସେଥିପ୍ରତି ଗୁରୁତ୍ୱ ଦେବେ । ଯେଉଁ ଜଳ ଉତ୍ସର ପିଇବା ପାଣି ଶୁଦ୍ଧ ନୁହେଁ ତାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁରରେ ଡାଇରିଆ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଜିଲ୍ଳା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ହଇଜା ସ୍ଥିତିର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ହଇଜା ସ୍ଥିତିର ସମୀକ୍ଷା କରିବା ସହିତ କେନ୍ଦ୍ରୀୟ ଟିମ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣି ପାଇଁ ଡାଇରିଆ ବ୍ୟାପିଛି ବୋଲି ଜଣାପଡିବା ପରେ ବିଶୁଦ୍ଧ ପାଣି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆଜି ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ୩ଟି ଜିଲ୍ଲାକୁ ଗସ୍ତ କରି ଗ୍ରାଉଣ୍ଡ ଜିରୋର ରିପୋର୍ଟ ପ୍ରଦାନ କରିବେ ରାଜ୍ୟ ଟିମ୍ । ରାଜ୍ୟସ୍ତରୀୟ ଟିମ୍ ଯାଜପୁର,କଟକ ଓ ଭଦ୍ରକ ଗସ୍ତ କରି ରିପୋର୍ଟ ପ୍ରଦାନ କରିବେ । ଡାଇରିଆକୁ ପ୍ରତିହତ କରିବା ସ୍ୱାସ୍ଥ୍ୟବିଭାଗ ବିଭିନ୍ନ ପଦକ୍ଷେପ ନେଉଛି ।