ପୁରୀ : ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତସେବା। ଗୁରୁବାର ଅଣସର ନୀତିର ଅଷ୍ଟମ ଦିନ। ଓଷୁଅ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଏପଟେ ରଥଯାତ୍ରା ପାଖେଇ ଆସୁଥିବାରୁ ସମୟ ଭିତରେ ରଥ କାମ ସାରିବାକୁ ଚଳଚଞ୍ଚଳ ରଥ ଖଳା।
ଶେଷ ପର୍ଯ୍ୟାୟରେ ତିନି ରଥର କାର୍ଯ୍ୟ ଚାଲିଛି । ରଥର ଦୁଆରବେଢ଼ା ଲାଗିଛି । ଏହାପରେ ରଥ ପୂର୍ଣ୍ଣାଙ୍ଗ ହେବା ପରି ଦିଶୁଛି । ତିନିରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହାୟତାରେ ପାଞ୍ଚ ଗୋଟି ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡିଆ ଶେଷ ହୋଇଛି । ବେଦୀ ପରିସରକୁ ବଢ଼ାଇବା ପାଇଁ ଆଜି ସେଣି ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରାଯାଇଅଛି। କେବଳ ବେଦୀରେ ପଟା ପଡ଼ିବା ବାକି ଅଛି । ତିନିରଥର ଦୁଆର ବେଢ଼ା ନିର୍ମାଣ ଜାରୀ ରହିଥିବା ବେଳେ ତିନିରଥର ୧୨ ଗୋଟି ଦୁଆରବେଢ଼ାରୁ ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଦୁଆର ଦେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ପହଁଚାଇଛନ୍ତି । ଏଥିସହ ତିନିରଥର ପ୍ରଭା ଫ୍ରେମ କାର୍ଯ୍ୟ ଆରମ୍ଭ ହୋଇଛି ।