ବ୍ରହ୍ମପୁର: ରଜ ସଂକ୍ରାନ୍ତି ଭଳି ଦିନରେ ଗୋପାଳପୁରରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କର ଡିଏନଏ ପରୀକ୍ଷା କରାଯିବ । ସମସ୍ତ ୧୦ ଅଭିଯୁକ୍ତଙ୍କର ଗୁରୁବାର ଡିଏନଏ ନମୂନା ସଂଗ୍ରହ କରାଯାଇଛି ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ତୃତୀୟ ଦିନରେ ତନାଘନା କରୁଛି । ଗୋପାଳପୁର ବେଳାଭୂମିରେ ସେଦିନ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଜେରା କରାଯାଇଛି । ସେହିପରି ଗୋପାଳପୁର ଥାନରେ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି । ଏହା ସହିତ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ । ସେପଟେ କ୍ରାଇମ୍ ଏଗନେଷ୍ଟ ୱମେନ୍ (ସିଏଡବ୍ଲୁ) ଟିମ୍କୁ ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ଏବଂ ପୋଡ଼ା ସିଗାରେଟ୍ ମିଳିଛି ।
କ’ଣ ରହିଥିଲା ଘଟଣା ?
ଦ୍ୱିତୀୟ ଦିନ ରଜରେ ରାତି ପ୍ରାୟ ୯ଟା ବେଳେ ଜଣେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମିରେ ପାନ୍ଥନିବାସ ନିକଟରେ ବୁଲୁଥିଲେ । ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ଜନୈକା ଯୁବତୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁରୁଷ ବନ୍ଧୁ ଦୁଇ ଜଣଙ୍କୁ ଚିହ୍ନଟ କରିବା ପରେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଏହି ମାମଲାରେ ପୋଲିସ ୪ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଛି । ସମସ୍ତେ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି ।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଘଟଣାର ଗମ୍ଭୀରତାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଣେ ଅପରାଧୀଙ୍କ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇ ମାମଲାର ଯାଞ୍ଚ କରାଯାଇଥିଲା । ଘଟଣାକୁ ରେଡ୍ ଫ୍ଲାଗ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ପୋଲିସ ତଦନ୍ତ କରୁଛି । ସେହିପରି ଜାତୀୟ ମହିଳା କମିଶନ ମଧ୍ୟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ।