ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ । ବିଜେପି ସରକାରର ଏକ ବର୍ଷପୂର୍ତ୍ତି ଅବସରରେ ଜନତା ମୈଦାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ । ଏନେଇ ଆଜି ଜନତା ମୈଦାନରେ ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଜନତା ମୈଦାନରେ ହେଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବାସହ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ବିଳମ୍ୱିତ ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ । ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜା ଏବଂ ଅତିରିକ୍ତ ମୁଖ୍ୟଶାସନ ସଚିବ ଶିଳ୍ପ ବିଭାଗ ଶ୍ରୀ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି କାର୍ଯ୍ୟର ସବିଶେଷ ସୂଚନା ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ଼ ସୋ' କରିବେ । ମୋଦୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ରାଜଧାନୀରେ ମୁତୟନ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି ।