ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ । ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମୈଦାନରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଏଥିପାଇଁ ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମାଜିଷ୍ଟେରିଆଲ୍ କୋର୍ଟକୁ ଦ୍ୱିତୀୟାର୍ଦ୍ଧ ସମୟରେ ଛୁଟି ଘୋଷଣା କରାଯାଇଛି । ଅର୍ଥାତ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧରେ ଖୋଲା ରହିବ । ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ଼ ସୋ' କରିବେ । ମୋଦୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ରାଜଧାନୀରେ ମୁତୟନ ରହିବେ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଓ କଟକର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।