ବାରିପଦା: ବାରିପଦା ସହରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ବିଳମ୍ବିତ ରାତିରେ ଜଣେ ବିବାହିତା ମହିଳାଙ୍କୁ ଚାରି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ଅଭିଯୋଗ ଅନୁସାରେ, ବୁଧବାର ରାତିରେ ବାରିପଦା ସହରର ରାଜବାସା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଚାରି ଜଣ ଦୁର୍ବୃତ୍ତ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ପୀଡ଼ିତା ତାଙ୍କ ସ୍ୱାମୀକୁ କହିଥିଲେ । ସ୍ୱାମୀ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ରଜ ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିକୁ ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତମାନେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ପୁଣି ବାରିପଦା ସହରରେ ଘଟିଥିବା ଲଜ୍ଜାଜନକ ଘଟଣା ସବୁଠି ଭୟର ବାତାବରଣ ଖେଳାଇଦେଇଛି ।