ପୁରୀଠାରେ ବିଜେଡି ଆୟୋଜନ କରିଥିଲା ଯୁବ-ଛାତ୍ର ସମ୍ମିଳନୀ। ସଭାର ଶେଷ ଭାଗରେ ଭାଷଣ ପାଇଁ ସୁଯୋଗ ପାଇଥିବା ଚୌଦାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଦଳର ଯୁବ ଓ ଛାତ୍ର ସଂଗଠନର କର୍ମୀଙ୍କ ପାଇଁ ସ୍ୱର ଉଠାଇଥିଲେ। କିନ୍ତୁ ଭାଷଣ ଛଳରେ ଦଳର ଗୁମର ଖୋଲିଦେଇଛନ୍ତି। ସେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରି କିଛି ଲୋକ ଆର୍ଥିକ ସ୍ତରରେ ଲାଭବାନ ହେବା କଥା କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ଏମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବା ନେଇ କହିଛନ୍ତି ସୌଭିକ୍ । ତେବେ ଏମାନଙ୍କୁ ଏବେ ଏମାନଙ୍କୁ ପଛକୁ ପଠାଇ, ଯେଉଁମାନେ ଦଳକୁ ସମୟ ଓ ରକ୍ତ ଦେଇଛନ୍ତି ସେମାନଙ୍କୁ ସୁଯୋଗ ଦେବାକଥା ଉଚିତ୍ ବୋଲି ସେ ସଭାମଞ୍ଚରୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ, ‘ବରିଷ୍ଠ ନେତାମାନେ ବହୁତ କଥା କହିଲେ, କିନ୍ତୁ ଯୁବ ଛାତ୍ରଙ୍କ କଥା କେହି କହିଲେନି। ଅତୀତରେ ନବୀନଙ୍କ ନିର୍ବାଚନୀ ସଫଳତା ପଛରେ ଏହି ଯୁବ ଛାତ୍ରମାନେ ବଡ଼ ଭୂମିକା ନେଇଥିଲେ’, କିନ୍ତୁ ଏମାନଙ୍କୁ ବ୍ୟବହାର କରି କେଉଁ ନେତାମାନେ ଆର୍ଥିକ ଫାଇଦା ପାଇଛନ୍ତି ବା ମାଲାମାଲ୍ ହୋଇଛନ୍ତି ସୌଭିକ ସେମାନଙ୍କ ନାଁ ନେଇନଥିଲେ। କିନ୍ତୁ କଥା ଛଳରେ ସେ କହିଥିବା କିଛି ଭିତିରି କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡିର ପରାଜୟ ପରେ ନୂଆ ସରକାରକୁ ବର୍ଷେ ପୂରିଲାଣି। ଏତେଦିନ ପରେ ମଧ୍ୟ ବିଜେଡି ନିଜକୁ ସକ୍ରିୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିପାରିନାହିଁ। କିଏ ଟଙ୍କା କମେଇଲା ଏବଂ କାହା ପାଇଁ ନିର୍ବାଚନରେ ପରାଜୟ ହେଲା ଏସବୁର ହିସାବ ଏଯାଏଁ ସରିନି। ଏବେ ଦଳ ଭିତରେ ରହିଥିବା କେଁ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ବିଜେଡି ନେତୃବୃନ୍ଦ ଓଡ଼ିଶାବାସୀଙ୍କୁ କିଭଳି ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।