କଟକ: କଟକରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମାର୍କେଟର ପାୟଲ ରେଷ୍ଟୁରାଣ୍ଟରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ କଟକ ଶଙ୍କରପୁର ଅଂଚଳର ଅଶୋକ ବାରିକ ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମାର୍କେଟ କମ୍ପ୍ଲେକ୍ସରେ ଶୋଇଥିବାବେଳେ ଅଶୋକ ବାରିକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ, ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ସନ୍ଧାନୀ କୁକୁର ଓ ପୋଲିସ ଟିମର ଯାଞ୍ଚ ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ବଡ଼ ମେଡିକାଲକୁ ପଠାଇଛି । କିଏ ଓ କେଉଁ କାରଣରୁ ହତ୍ୟାକାଣ୍ଡ କରିଛି ପୋଲିସ ତାହାର ତଦନ୍ତ ଜାରି ରଖିଛି । ପୋଲିସ ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି ।