ଭୁବନେଶ୍ୱର : ରାତିରାତି ୮ ଗୁଣା ବଢ଼ିଗଲା ପାର୍କିଂ ଫି। ଏଭଳି ଘଟଣା ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି । ଜଣେ ବ୍ଯକ୍ତି ରଜରେ ଗାଡ଼ି ରଖି ଗାଁକୁ ଯାଇଥିଲେ। ଆଉ ଫେରିବା ପରେ ପାର୍କିଂ ଫି ବିଲ୍ ଦେଖି ଗାଡି ମାଲିକଙ୍କ ମୁଣ୍ଡ ଗୋଲ । ପୂର୍ବରୁ ବାଇକ୍ ପାର୍କିଂ ଫି ୧୨ ଟଙ୍କା ଥିବାବେଳେ ଏବେ ୯୪ ଟଙ୍କା ହୋଇଯାଇଛି। ସେହିପରି କାର୍ ପାର୍କିଂ ଫି ବଢି ୧୪୨ ଟଙ୍କା ହୋଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା। ଏନେଇ ପାର୍କିଂ ଟେଣ୍ଡର ଦାୟିତ୍ବରେ ଥିବା ଅଧିକାରୀ କି ରେଲୱେ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ବର୍ତ୍ତମାନ ପାର୍କିଂ ସମୟ ଅନୁସାରେ ଭିନ୍ନ ଭିନ୍ନ ପରିମାଣ ରହିଛି । ଦୁଇ ଚକିଆ ଯାନ ପାର୍କିଂ ବିଷୟରେ କହିବାକୁ ଗଲେ, ଯଦି ଆପଣ ୨ରୁ ୬ ଘଣ୍ଟା ପାର୍କିଂ କରୁଛନ୍ତି ତେବେ ଦେବାକୁ ପଡ଼ିବ ୨୪ ଟଙ୍କା । ଯଦି ୬ରୁ ୧୨ ଘଣ୍ଟା ପାର୍କିଂ କରୁଛନ୍ତି ତେବେ ୩୬ ଟଙ୍କା ଦେବାକୁ ପଡ଼ିବ । ସେହିପରି ୧୨ରୁ ୨୪ ଘଣ୍ଟା ପିଛା ୪୭ ଟଙ୍କା ଦେବେ । ଆଉ ୨୪ ଘଣ୍ଟାରୁ ଅଧିକ ସମୟ କିମ୍ବା ଗୋଟିଏ ଦିନ ଧରି ଗାଡି ପାର୍କ କଲେ ୯୪ ଟଙ୍କା ଫି ଦେବାକୁ ପଡ଼ିବ । ତେବେ ଏହି ବର୍ଦ୍ଧିତ ପାର୍କିଂ ଫି'କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।