ଭୁବନେଶ୍ୱର: ଆସନ୍ତା ଜୁନ୍ ୨୦ରେ ଗ୍ରୀଷ୍ମ ଅବକାଶ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି। ହେଲେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟ ସେଦିନ ଖୋଲିବ ନାହିଁ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେଦିନ ଛୁଟି ଘୋଷଣା କରିଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।
ସୂଚନା ମୁତାବିକ, ଜୁନ୍ ୨୦ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ଭୁବନେଶ୍ୱର ଆସୁଛ । ସେଦିନ ମୋଦୀଙ୍କ ରୋଡ ସୋ' କରିବାର କାର୍ଯ୍ୟକ୍ରମ ଥିବାବେଳେ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ୨୦ ଜୁନ ଦିନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଛି।
ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ଜୁନ୍ ୨୦ ତାରିଖ ଦିନ ୩ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟା ୪୫ରୁ ୪ଟା ୧୫ ଯାଏଁ ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ପର୍ଯ୍ୟନ୍ତ ରୋଡ ସୋ' କରିବେ । ଏହା ପରେ ଅପରାହ୍ନ ସାଢେ ୫ଟା ଯାଏ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ସ୍ଥଳ ଜନତା ମଇଦାନରେ ରହିବେ । ଏହି ଦୃଷ୍ଟିରୁ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ଭୁବନେଶ୍ୱର ଓ କଟକ ମହାନଗରରେ ସମସ୍ତ ସ୍କୁଲକୁ ସେଦିନ ଛୁଟି କରିବାକୁ ଘୋଷଣା ହୋଇଛି।