ପୁରୀ: ପାଖେଇ ଆସୁଛି ମହାପ୍ରଭୂଙ୍କ ସର୍ବଶ୍ରେଷ୍ଠ ଲୀଳା ରଥଯାତ୍ରା। ଆଉ ମାତ୍ର ନଅ ଦିନର ଅପେକ୍ଷା। ରଥରେ ବିରାଜମାନ କରିବେ ମହାପ୍ରଭୁ। ସେଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ। ରଥ ନିର୍ମାଣ ସହ ଆରମ୍ଭ ହୋଇଛି ପାର୍ଶ୍ୱଦେବଦେବୀ, ଓଲଟ ଶୁଆଏବଂ ଘୋଡାର ରଙ୍ଗ କାର୍ଯ୍ୟ। ଚିତ୍ରକାର ସେବକମାନେ ତାଙ୍କ ରଙ୍ଗ ତୂଳୀରେ ମୂର୍ତ୍ତି ଗୁଡ଼ିକୁ ଜୀବନ୍ତ ରୂପ ଦେଉଛନ୍ତି। ଏଥିସହ ରଥର କପଡା କାର୍ଯ୍ୟ ମଧ୍ୟ ଦରଜୀ ସେବକମାନଙ୍କ ଦ୍ଵାରା ଆରମ୍ଭ ହୋଇଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ।
ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହାସହ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ପାରାଭାଡ଼ି ଉଠିଥିଲା। ରଥର ଉପର ପାର୍ଶ୍ବ ମୁହଁ ବନ୍ଦ କରୁଥିବା ଖପୁରି ସଂଯୋଗ ହୋଇଥିଲା। ଏହା ଉପରେ କଳସ ଡାଙ୍ଗିଆ ମଧ୍ୟ ଉଠିଛି। କଳସ ଡାଙ୍ଗିଆ ଉପରେ କଳସ ରହିଥାଏ। ତେଣୁ ଏହା ଉଠିବା ପରେ ମହାରଣା ସେବକମାନେ କଣ୍ଟା ବାଡ଼େଇ ସାଇଜ କରି ଏହାକୁ ସେଟିଂ କରିଛନ୍ତି।