ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱର ବିମାନବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ଼ ସୋ କରିବେ । ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ଅବସରରେ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, "କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୧ ବର୍ଷ ଏବଂ ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂରଣ ହୋଇଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ଓ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଭାରତ ଏକ ଅଗ୍ରଗଣ୍ୟ ରାଷ୍ଟ୍ର ହେବାକୁ ଯାଉଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ବୟୋବନ୍ଦନା କାର୍ଯ୍ୟକ୍ରମ ସହିତ ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ । ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ଦିଆଯିବ । ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ହେଉଛି" ।
କେନ୍ଦ୍ରରେ ୧୧ ବର୍ଷ ଏବଂ ରାଜ୍ୟରେ ଏକ ବର୍ଷର ରିପୋର୍ଟ କାର୍ଡ ଜନତାଙ୍କ ଆଗରେ ରଖିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।