ବ୍ରହ୍ମପୁର: ଗୋପାଳପୁର ବେଳାଭୂମୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ପୋଲିସ ଡିଜି ୱାଇ.ବି.ଖୁରାନିଆ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ତଦନ୍ତ ଭାରକୁ ହାତକୁ ନେଇ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ କରିବ। ଆଇଜି ଏସ. ସାଇନିଙ୍କ ତତ୍ବାବଧାନରେ କରାଯିବ ତଦନ୍ତ । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳପୁରରେ ପହଞ୍ଚିସାରିଥିବା ସୂଚନା ମିଳିଛି ।
ଗଣଦୁଷ୍କର୍ମର ୧୦ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ। ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ପୁରୁଷୋତ୍ତମପୁରର ପ୍ରମୋଦ ନାୟକ । କ୍ରାଇମବ୍ରାଞ୍ଚର ଏକ ବିଶେଷ ଟିମ୍ ଏହି ମାମଲାରେ ସମସ୍ତ ଦିଗକୁ ବିଚାର କରି ତଦନ୍ତ କରିବ, ଯେଉଁଥିରେ ପୀଡ଼ିତାଙ୍କ ବୟାନ, ସାକ୍ଷୀଙ୍କ ସୂଚନା ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯିବ । ପୋଲିସ ଡିଜି ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାରେ ଛଡ଼ା ଯିବ ନାହିଁ ଏବଂ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଆଇନଗତ ପଦକ୍ଷେପ ନିଆଯିବ ।
ସୂଚନାଯୋଗ୍ୟ, ରଜରେ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୁକ୍ତଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।