ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ନୂଆ ଚରିତ୍ର ସଞ୍ଜୟ ବର୍ମାର ରହସ୍ୟ ଉପରୁ ପରଦା ହଟିଛି । ପୋଲିସର ତଦନ୍ତରୁ ଜଣା ପଡିଛି ଯେ, ସଞ୍ଜୟ ବର୍ମା ଆଉ କେହି ନୁହେଁ ବରଂ ପ୍ରେମିକ ରାଜ କୁଶୱାହା । ରାଜ ସହ ମିଶି ସୋନମ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ।
ମେଘାଳୟରେ ହନିମୁନ ସମୟରେ ସ୍ୱାମୀ ରାଜା ରଘୁବଂଶୀ ହତ୍ୟା ଅଭିଯୋଗରେ ଗିରଫ ସୋନମ ରଘୁବଂଶୀ ନିଜ ବିବାହ ପୂର୍ବରୁ ସଞ୍ଜୟ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ୧୦୦ରୁ ଅଧିକ ଥର କଲ୍ କରିଥିଲେ । ପରେ ତଦନ୍ତରୁ ଜଣା ପଡିଛି ଯେ, ସଞ୍ଜୟ ବର୍ମା ତାର ପ୍ରେମିକ ରାଜ କୁଶୱାହାର ଛଦ୍ମ ନାମ ଥିଲା । ଜଣେ ପୋଲିସ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି ।
ପୂର୍ବ ଖାସି ହିଲ୍ସ ଜିଲ୍ଲାର ଏସପି ବିବେକ ସିମ କହିଛନ୍ତି, ଆମକୁ ତଦନ୍ତରୁ ଜଣା ପଡିଛି ଯେ, ସୋନମ ରାଜାଙ୍କୁ ବିବାହ କରିବା ପୂର୍ବରୁ ସଞ୍ଜୟ ବର୍ମା ନାମକ ବ୍ୟକ୍ତିଙ୍କୁ ୧୦୦ରୁ ଅଧିକ ଥର କଲ୍ କରିଥିଲା । ବିବାହ ପରେ ବି ଏହି ନମ୍ବରକୁ କଲ୍ ଜାରି ରହିଥିଲା । ସେ କହିଛନ୍ତି ପୋଲିସ ବର୍ମା ନାମକ ବ୍ୟକ୍ତିର ସନ୍ଧାନ ପାଇଁ ଇନ୍ଦୋରରେ ସର୍ଚ୍ଚ ଅପରେସନ ଚଲାଇଥିଲେ । ଆଉ ଉକ୍ତ ଫୋନ ନମ୍ବର ବନ୍ଦ ଥିଲା । କିନ୍ତୁ ପରେ ଜଣା ପଡିଲା ଯେ, ବର୍ମା ଆଉ କେହି ନୁହେଁ ବରଂ ଖୋଦ ରାଜ କୁଶୱାହା ।
ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଏକ ଟିମ୍ ମଧ୍ୟ ପ୍ରଦେଶର ଇନ୍ଦୋରରେ ରହିଛି ଯଦ୍ୱାରା ଏହ ଜଣା ପଡିବ ଯେ, ମେ ୨୩ରେ ହୋଇଥିବା ରାଜା ରଘୁବଂଶୀ ହତ୍ୟା ପଛରେ ପ୍ରେମ ବ୍ୟାପାର ବ୍ୟତୀତ ଆର୍ଥିକ କାରବାରର ଲିଙ୍କ ନାହିଁ ତ । ଏସପି କହିଛନ୍ତି ହତ୍ୟାକାରୀଙ୍କ ପୂର୍ବରୁ ତିନି ପ୍ରୟାସ ବିଫଳ ରହିବା ପରେ ଚତୁର୍ଥ ପ୍ରୟାସରେ ରାଜା ରଘୁବଂଶୀଙ୍କ ହତ୍ୟା କରିବାରେ ସଫଳ ହୋଇଥିଲେ ।