ନୂଆଦିଲ୍ଲୀ: ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା ଇରାନ । ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନି କହିଛନ୍ତି ଏବେ ଇସ୍ରାଏଲ ପ୍ରତି କୌଣସି ପ୍ରକାରର ଦୟା ଭାବ ଦେଖାଯିବ ନାହିଁ । ଏହା ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡଙ୍କ ବିନା ସର୍ତ୍ତରେ ଆତ୍ମ ସମର୍ପଣ କରିବା ସନ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛି ଇରାନ । ଯଦି ଆମ ଉପରେ ହମଲା ହୁଏ ତେବେ ଆମେରିକାକୁ ଅପୂରଣୀୟ କ୍ଷତି ଉଠାଇବାକୁ ପଡିବ ବୋଲି ଖାମେନି କହିଛନ୍ତି ।
ଇସ୍ରାଏଲ ଓ ଇରାନ ମଧ୍ୟରେ ବୁଧବାର ଷଷ୍ଠ ଦିନରେ ପରସ୍ପର ଉପରେ ଜୋରଦାର ହମଲା ଜାରି ରଖିଛନ୍ତି । ଏଥିରେ ଉଭୟ ପକ୍ଷଙ୍କୁ ବ୍ୟାପକ ଜନଜୀବନ କ୍ଷତି ସହିବାକୁ ପଡୁଛି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଅସ୍ତ୍ରବିରତି ବାଦ୍ ଅନ୍ୟ କିଛି ବଡ ପଦକ୍ଷେପ ଉପରେ ବିଚାର କରାଯାଉଛି । ଏମିତି ପଦକ୍ଷେପ ନିଆଯିବ ଯେମିତି ସବୁ ଦିନ ପାଇଁ ଯୁଦ୍ଧର ଅନ୍ତ ଘଟିବ ।
ଏହା ମଧ୍ୟରେ ଟ୍ରମ୍ପ ଜାତୀୟ ସୁରକ୍ଷା ପରିଷଦର ବୈଠକ କରିଛନ୍ତି । ଏହା ସହିତ ପଶ୍ଚିମ ଏସିଆ ଦିଗକୁ ଲଢୁଆ ବିମାନ ଓ ଯୁଦ୍ଧପୋତ ପଠାଇଛି । ପ୍ରତିଟି ଲଢେଇରେ ଆମେରିକାର ଘନିଷ୍ଠ ସହଯୋଗୀ ଥିବା ବ୍ରିଟେନ ମଧ୍ୟ ପଶ୍ଚିମ ଏସିଆକୁ ଲଢୁଆ ବିମାନ ପଠାଇଛି । ତେହେରାନ ଆକାଶ ଉପରେ କବଜା ହୋଇଥିବା ଟ୍ରମ୍ପ କହିଛନ୍ତି । ଇରାନର ରାଜଧାନୀବାସୀଙ୍କୁ ସହର ଛାଡିବାକୁ ଚେତାବନୀ ଦିଆଯାଇଛି ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଏବେ ଇରାନ ସହ କୌଣସି ପ୍ରକାରର ଆଲୋଚନା ହେବ ନାହିଁ । ବୁଧବାର ଇସ୍ରାଏଲ ମଧ୍ୟ କହିଛି ଯେ, ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଜବାବରେ ଇରାନ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଓ ହାଇଫା ସହର ଛାଡି ଚାଲି ଯିବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛି । ଯଦି ଆମେରିକା ଏହି ଯୁଦ୍ଧରେ ସିଧାସଳଖ ସାମିଲ ହୁଏ ତେବେ ଯୁଦ୍ଧ ପଶ୍ଚିମ ଏସିଆ ଓ ପୂରା ଆରବ ଜଗତରେ ବ୍ୟାପିବାର ବିପଦ ରହିଛି ।