ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । ସିରିଜର ପ୍ରଥମ ମ୍ୟାଚ୍ ଲିଡ୍ସରେ ଖେଳାଯିବ । ପ୍ରଥମ ମୁକାବିଲା ପାଇଁ ବୁଧବାର ଘରୋଇ ଇଂଲଣ୍ଡ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ତାରକା ଦ୍ରୁତ ବୋଲର କ୍ରିସ ୱକ୍ସ ପ୍ରାୟ ଛଅ ମାସ ପରେ ଦଳକୁ ଫେରିଛନ୍ତି । ସେ ଶେଷ ଥର ୨୦୨୫ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଅନ୍ୟପଟେ ଜ୍ୟାକବ ବେଥେଲଙ୍କୁ ସ୍ଥାନ ମିଳିନି । ବେଥେଲଙ୍କ ବଦଳରେ ଓଲି ପୋପଙ୍କୁ ପ୍ରାଧ୍ୟାନ୍ୟା ଦିଆଯାଇଛି । ସେ ତୃତୀୟ କ୍ରମରେ ବ୍ୟାଟିଂ କରିବେ ।
ବେଥେଲ ଗତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ତିନି ଅର୍ଦ୍ଧଶତକ ହାସଲ କରି ତୃତୀୟ ସ୍ଥାନରେ ନିଜର ଦାବିଦାର ମଜବୁତ କରିଥିଲେ । ମାତ୍ର ଓଲି ପପ ନିକଟରେ ଜିମ୍ବାୱେ ବିପକ୍ଷରେ ଏକମାତ୍ର ଟେଷ୍ଟରେ ୧୭୧ ରନର ଇନିଂସ ଖେଳି ବେଥେଲଙ୍କ ଉପରେ ଭାରି ପଡିଛନ୍ତି । ପୋପ ଘରୋଇ ମାଟିରେ ଭାରତ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରି ନ ଥିଲେ ବି ତାଙ୍କୁ ପୁଣି ଥରେ ସୁଯୋଗ ମିଳିଛି । ସେ ଭାରତ ବିପକ୍ଷରେ ଘରୋଇ ମଇଦାନରେ ୪ଟି ମ୍ୟାଚରୁ ୨୧ ହାରରେ ମାତ୍ର ୧୪୭ ରନ କରିଛନ୍ତି ।
ହେଲେ ପୋପ ଭାରତ ବିପକ୍ଷରେ ଏକ ଦମଦାର ଶତକୀୟ ଇନିଂସ ଖେଳିଥିଲେ । ସେ ଗତ ବର୍ଷ ହାଇଦ୍ରାବାଦରେ ୧୯୬ ରନର ଇନିଂସ ଖେଳି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମକା ଗ୍ରହଣ କରିଥିଲେ । ଜ୍ୟାକ କ୍ରାଉଲି ଓ ବେନ ଡକେଟ ଓପନିଂ କରିବେ ଏବଂ ଜୋ ରୁଟ ଚାରି ନମ୍ବରରେ ବ୍ୟାଟିଂ କରିବେ । ଜେମି ସ୍ମିଥଙ୍କୁ ୱିକେଟ୍ କିପର ବ୍ୟାଟର ଭାବେ ସୁଯୋଗ ମିଳିଛି । ଦ୍ରୁତ ବୋଲିଂ ବିଭାଗରେ କ୍ରିସ ୱକ୍ସଙ୍କ ସହିତ ଜୋଶ ଟଙ୍ଗ ଓ ବ୍ରାୟଡନ କର୍ସ ରହିବେ ।
ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପପ, ଜୋ ରୁଟ, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜେମି ସ୍ମିଥ(ୱିକେଟ କିପର),କ୍ରିସ ୱକ୍ସ, ବ୍ରାୟଡନ କର୍ସ, ଜୋଶ ଟଙ୍ଗ, ଶୋଏବ ବସିର ।