ଉତ୍ତରାଖଣ୍ଡ: କେଦାରନାଥ ଯିବା ବାଟରେ ଅଘଟଣ। ପାଦଚଲା ରାସ୍ତାରେ ପାହାଡ଼ରୁ ପଥର ଖସିବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ରେସ୍କ୍ୟୁ ଅପରେସନ କରି ଡାକ୍ତରଖାନା ପଠାଇଛନ୍ତି।
ସୂଚନା ମୁତାବିକ, ବୁଧବାର ସକାଳ ପ୍ରାୟ ୧୧.୨୦ ସମୟରେ କେଦାରନାଥ ଧାମର ପଦଯାତ୍ରା ରାସ୍ତାରେ ଜଙ୍ଗଲଚଟ୍ଟି ଗେଡରା ନିକଟରେ ଏକ ପାହାଡରୁ ପଥର ଖସିଥିଲା । ଏଥିଯୋଗୁଁ ସେଇ ବାଟଦେଇ ଯାଉଥିବା ତୀର୍ଥଯାତ୍ରୀ ଏଥିରେ ଫଶିଯାଇଥିଲେ। ପଥରମାଡ଼ ହେବା ପରେ ଏକ ଗଭୀର ଖାତାରେ ସେମାନେ ପଡ଼ିଯାଇଥିଲେ, ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପୋଲିସର ସୂଚନା ଅନୁଯାୟୀ, ତଳେ ଥିବା ଖାଲରେ ପଡ଼ିଥିବା ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି। ମହିଳାଙ୍କୁ ସାମାନ୍ୟ ଆଘାତ ଲାଗିଛି କିନ୍ତୁ ଉଭୟ ପୁରୁଷ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଗୌରୀକୁଣ୍ଡକୁ ପଠାଯାଇଛି। ଯାତ୍ରୀମାନଙ୍କୁ ପୋଲିସ ସୁରକ୍ଷାରେ ଏଠାରୁ ଯାତ୍ରା କରିବାକୁ ଅନୁମତି ଦିଆଯାଉଛି।