ପାଟଣାଗଡ଼: ଆଜି ଆସିବ ସାରା ଦେଶରେ ଚାଞ୍ଚଲ୍ୟ କରିଥିବା ଗତ ୨୦୧୮ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ପାର୍ସଲ ବୋମା ରାୟ । ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ରାଜ୍ୟ ସମେତ ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଗଲା କିନ୍ତୁ ଘଟଣାର ରାୟ ଶୁଣାଯାଇ ପାରିଲାନାହିଁ । ଆଜି ଏହି ଘଟଣାର ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କି ଦଣ୍ଡ ମିଳିବ ଆଉ ସୌମ୍ୟ ଶେଖର ସାହୁଙ୍କ ପରିବାରକୁ ନ୍ୟାୟ ମିଳିବ ତ ଭଳି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।
ସୂଚନା ଅନୁସାରେ, ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ନବବିବାହିତ ସୌମ୍ୟଶେଖର ସାହୁ , ତାଙ୍କ ପତ୍ନୀ ଓ ତାଙ୍କ ଜେଜେମା ଜେମାମଣି ସାହୁ ଗୁରୁତର ହୋଇଥିଲେ । ପରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ବହୁ ଦିନ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଏହି ଘଟଣାରେ ପୋଲିସ ତନାଘନା ଯାଞ୍ଚ କରିଥିଲା। ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମର ମିଳିତ ଉଦ୍ୟମରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଥିଲା ।
ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିବା ନେଇ ତଦନ୍ତରୁ ଜଣାପଡିଥିଲା । ଗତ ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ହୋଇଥିଲା । ଏହି ସମୟର ଫାଇଦା ନେଇ ବିବାହ ଭୋଜିରେ ସଂଯୁକ୍ତାଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିଲା । ଗତ ୨୩ ତାରିଖ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର, ବୋହୁ ଓ ଶାଶୁ ବିବାହ ଭୋଜିରେ ମିଳିଥିବା ଉପହାର ଖୋଲୁଥିବା ସମୟରେ ଉପହାରରେ ଆସିଥିବା ପାର୍ସଲ ବୋମାକୁ ମଧ୍ୟ ଖୋଲିବା ସମୟରେ ତାହା ବିସ୍ପୋରଣ ହୋଇଥିଲା । ଫଳରେ ପୁଅ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାର କୌଣସି ପ୍ରମାଣ ନ ଥାଇ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ କରି ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା । ପରେ ପୁଞ୍ଜିଲାଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ଛଅ ବର୍ଷରୁ ଅଧିକ କାଳ ହେଲା ଜେଲରେ ରହିଛି । ଅଭିଯୁକ୍ତ ପୁଞ୍ଜିଲାଲ ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବା ଶିଖି ତାକୁ ବିସ୍ଫୋରଣ କରିବାରେ ମଧ୍ୟ ସଫଳ ହୋଇଥିଲା । ଦୀର୍ଘ ସାତ ବର୍ଷ ପରେ ଏହି ଘଟଣାର ଶୁଣାଣି ହେବ ଯାହା ଉପରେ ସମସ୍ତଙ୍କ ନଜର ରହିଛି ।