ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ତାରିଖ ବଦଳାଇବାକୁ ନେଇ ଏବେ ରାଜ୍ୟ ରାଜନୀତିର ପାଣିପାଗ ସରଗରମ ହୋଇଛି । ଓଡ଼ିଶାର ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ଦଳ । ନାଁ ବଦଳାଇ ପାରିବେ କିନ୍ତୁ ବିଜୁ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ବଦଳାଇ ପାରିବେ ନାହିଁ ବୋଲି କହିଛନ୍ତି ତାଙ୍କର ପୁଅ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ନବୀନଙ୍କ ମନ୍ତବ୍ୟରେ ଜବାବ ରଖି ରବି ନାୟକ କହିଛନ୍ତି ଓଡ଼ିଶାର ଲୋକ ବିଜୁ ବାବୁ ନୁହେଁ ବରଂ ବିଜେଡ଼ିକୁ ଘୃଣା କରନ୍ତି ।
ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ନବୀନ ଯୋଗ ଦେଇ କହିଛନ୍ତି ଯେ ‘ବିଜୁ ବାବୁ’, ଏଇ ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆଙ୍କ ଛାତି ଗର୍ବରେ ଫୁଲି ଉଠେ । ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି । ସରକାରକୁ ଆସିବା ପରେ ବିଜୁ କ୍ରୀଡ଼ା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ । ବିମାନ ବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ପଞ୍ଚାୟତିରାଜ ଦିବସ ତାରିଖକୁ ବଦଳାଇ ଦେଇଛନ୍ତି । ୧୯୯୩ରୁ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଛି । ନାଁ ବଦଳାଇ ପାରିବେ କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବା ବଦଳାଇ ପାରିବେ ନାହିଁ ବୋଲି କହିଛନ୍ତି ନବୀନ । ସେ ପଦ ପଦବୀ ପାଇଁ ରାଜନୀତିକୁ ଆସି ନ ଥିଲେ ବରଂ ସେବା ମନୋବୃତ୍ତି ନେଇ ଆସିଥିଲେ । ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଇତିହାସ ଖୋଲା ବହି । ସରକାର ଆସିବ, ଯିବ କିନ୍ତୁ ବିଜୁ ବାବୁଙ୍କ ସବୁଦିନ ପାଇଁ ସବୁ ଓଡ଼ିଆଙ୍କ ମନରେ ରହିଛନ୍ତି ଏବଂ ରହିବେ ।
ଅନ୍ୟପକ୍ଷରେ ବିଜେଡ଼ିକୁ କଡ଼ା ଜବାବ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ବିଜେଡ଼ି ଭିତରେ ପାପ ଅଛି କିନ୍ତୁ ଆମ ଭିତରେ ପାପ ନାହିଁ । ଆମେ ଆମ ମହାପୁରୁଷଙ୍କୁ ସମ୍ମାନ ଦେବୁ । ଏ ସରକାର ଯେତେଦିନ ଥିବ ଆମ ସରକାର ମହାପୁରୁଷଙ୍କୁ ଅବମାନନା କରିବ ନାହିଁ । ବିଗତ ଦିନରେ ବିଜେଡ଼ି ସରକାର ବିଜୁ ବାବୁଙ୍କୁ ଅବମାନନା କରିଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ କୁଠାରଘାତ କରିଛନ୍ତି । ପଞ୍ଚାୟତର ସରପଞ୍ଚ ପାଖରୁ କ୍ଷମତା କାଢ଼ି ନେଲେ । ଗ୍ରାମ ସଭାର ପ୍ରସ୍ତାବକୁ ଅନାଦର କଲେ । ବିଜୁ ବାବୁ ପଞ୍ଚାୟତକୁ ସୁଦୃଢ଼ କରିବାକୁ ଚାହିଁଥିଲେ । କିନ୍ତୁ ବିଜେଡ଼ି ପଞ୍ଚାୟତିରାଜର ସ୍ୱରୁପକୁ ଛିନଭିନ୍ କରିଦେଲେ ବୋଲି ଜବାବ ଦେଇଛନ୍ତି ରବି ନାଏକ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏପ୍ରିଲ ମାସ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଭାରତରେ ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ ସମ୍ବିଧାନର ୭୩ତମ ସଂଶୋଧନକୁ ଲାଗୁ କରାଯାଇ ପଂଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ବିଜେଡ଼ି ସରକାର ବିଜୁ ବାବୁଙ୍କ ଜୟନ୍ତୀରେ ଏପ୍ରିଲ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିଆସୁଥିଲା ।