ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନରେ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ । ତେଣୁ ନବୀନଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଆମେ ନବୀନ ପଟ୍ଟନାୟକଙ୍କୁ ଡାକିଥିଲୁ ହେଲେ ସେ ଆସିଲେ ନାହିଁ। ବିଧାନସଭାକୁ ମଧ୍ୟ ଡକାଯାଇଥିଲା। ସେଥିରେ ମଧ୍ୟ ଉପସ୍ଥିତ ରହିଲେ ନାହିଁ।
ମୁଖ୍ଯମନ୍ତ୍ରୀ ଏକଥା ମଧ୍ଯ କହିଛନ୍ତି ଯେ ମୁଁ ଶୁଣିଥିଲି ସନ୍ଧ୍ୟା ସମୟ ହେଲେ ସେ କୁଆଡେ ଯାଆନ୍ତି ନାହିଁ। ୨୦୨୦ ମସିହା ଠାରୁ ସନ୍ଧ୍ୟା ସମୟରେ ସେ କୁଆଡେ ଯାଆନ୍ତି ନାହିଁ। ସେଥି ପାଇଁ ବୋଧେ ଆସିଲେ ନାହିଁ। କିନ୍ତୁ ସକାଳେ ବିଧାନସଭା ଆସିପାରିଥାନ୍ତେ। ଏ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଠିକ ନୁହେଁ । ବିଜୁ ଜୟନ୍ତୀକୁ ନବୀନ ନ ଆସି ପାପ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୁ ବାବୁଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଇଥାନ୍ତି। ମୂର୍ତ୍ତି ଭଙ୍ଗା କଥାକୁ ନେଇ ରାଜନୀତି କରିବା ଠିକ୍ ନ ଥିଲା। ଯେଉଁମାନେ ମୂର୍ତ୍ତି ଭାଙ୍ଗିଛନ୍ତି, ସେମାନଙ୍କୁ ଗିରଫ କରାଯାଇଛି। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ଗାଁକୁ କାମ, ମାଆକୁ ସମ୍ମାନ ପୂରଣ ହେଲା। ତାହା ରାଜନୀତିରେ ରହିଗଲା, ଆମେ ବିଜେପି ସରକାର ବାସ୍ତବିକତା ରୂପ ଦେଉଛୁ ବୋଲି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।