ଭୁବନେଶ୍ୱର: ରାଜ୍ୟରେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ମାର୍ଚ୍ଚ ମାସରେ ସ୍ବାଭାବିକ ଠାରୁ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବାହ। ପଶ୍ଚିମ ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବି ବଢିବ ତାତି।
ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା। ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ୪୦ ଅତିକ୍ରମ କରିବ। ଟାଣ ଖରା ସହ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଗରମ ଶୁଷ୍କ ପବନ। ପ୍ରଭାବରେ ଦିନକୁ ଦିନ ଉପରମୁହାଁ ହେଉଛି ପାରଦ।
ଗତକାଲି ଝାରସୁଗୁଡା ଦେଶର ଷଷ୍ଠ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ୩୯ ଡିଗ୍ରୀ ତାପମାତ୍ରା ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା। ସେହିପରିବୌଦ୍ଧ ୩୮.୫ଂ, ମାଲକାନଗିରି ୩୮.୪ଂ, ଅନୁଗୋଳ ୩୭.୯ଂ, ସମ୍ବଲପୁର ୩୭.୮ଂ, ପାରଳାଖେମୁଣ୍ଡି ୩୭.୮ଂ, ବଲାଙ୍ଗୀର ୩୭.୫ଂ, ହୀରାକୁଦ ୩୭.୧ଂ, ଟିଟିଲାଗଡ଼ ୩୭ଂ, କଟକ ୩୪.୬ଂ ଏବଂ ଭୁବନେଶ୍ୱରରେ ୩୬.୪ଂ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଛି।
ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିଛି ତାତି। ଆସନ୍ତା ଦୁଇ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।