କଟକ: ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ସନ୍ତୋଷ ବାରିମୂଳ ଯିବେ କିନ୍ତୁ ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ କୋର୍ଟ କଟକଣା ଲଗାଇଛନ୍ତି । ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ।
ବୁଧବାର ହାଇକୋର୍ଟ ବାବା ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ା ଯିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ସନ୍ତୋଷଙ୍କ ଭାଇ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ତେଣୁ ଭାଇଙ୍କୁ ସାକ୍ଷାତ କରିବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏଥିପାଇଁ କେତୋଟି ସର୍ତ୍ତ ରଖିଛନ୍ତି କୋର୍ଟ ।
ସାରଥି କେନ୍ଦ୍ରାପଡ଼ା ଯିବାକୁ ଚାହିଁଲେ ପ୍ରଥମେ ନିମ୍ନ ଅଦାଲତରେ ଜଣାଇବେ । କୋର୍ଟ ତାଙ୍କୁ ଅନୁମତି ଦେଲେ ସେ ବାରିମୂଳ ଯିବେ । କୋର୍ଟଙ୍କ ସର୍ତ୍ତ ମୁତାବକ ପ୍ରତି ୨ ମାସରେ ଥରେ ବାରିମୂଳ ଯାଇ ତାଙ୍କ ଭାଇଙ୍କୁ ଭେଟି ପାରିବେ । କିନ୍ତୁ ସେ ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ । ଏହା ସହିତ ରାତିରେ କେନ୍ଦ୍ରାପଡ଼ାରେ ରହି ପାରିବେ ନାହିଁ । ସକାଳ ୫ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସେ କେନ୍ଦ୍ରାପଡ଼ା ଯାଇ ପୁଣି ଥରେ ଫେରିବେ ।
ଏହା ସହିତ ସେ ୨ ଶହରୁ ଉର୍ଦ୍ଧ୍ୱ ସମାଗମ ଉପରେ ମଧ୍ୟ ମାନ୍ୟବର ଅଦାଲତ କଟକଣା ଲାଗୁ କରିଛନ୍ତି । ୨ ଶହରୁ ଉର୍ଦ୍ଧ୍ୱ ସମାଗମ ପାଇଁ ସାରଥିଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମାତ୍ର କୋର୍ଟ ସେହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା ଗସ୍ତ ସମୟରେ ସେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ସମାଗମ କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।