ଦୁବାଇ: ନ୍ୟୁଜିଲାଣ୍ଡ ବୁଧବାର ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ହରାଇଛି । ବିଜୟ ସହ ଦଳ ଫାଇନାଲରେ ପ୍ରବେଶ କରିଛି । ଏହା କିୱି ଦଳର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍୍ ମ୍ୟାଚ୍ ହେବ । ଅନ୍ୟପଟେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ଅଭିଯାନ ସମାପ୍ତ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ରଚିନ ରବୀନ୍ଦ୍ରଙ୍କ ୧୦୮ ରନ ଓ କେନ ୱିଲୟମସନଙ୍କ ୧୦୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ବିନିମୟରେ ୩୧୨ ରନ କରି ପାରିଥିଲା । ଦଳ ପକ୍ଷରୁ ଡେଭିଡ୍ ମିଲର ଅପରାଜିତ ୧୦୦ ରନ କରିଥିଲେ । ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ସର୍ବଦା ଆଇସିସି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍ ଓ ଫାଇନାଲରେ ପହଞ୍ଚି ପରାସ୍ତ ହୁଏ । ଏହି କାରଣରୁ ଏହି ଦଳକୁ ଚୋକର୍ସର ଟ୍ୟାଗ ଦିଆଯାଇଛି । ଗ୍ରୁପ ଷ୍ଟେଜରେ ଗୋଟିଏ ବି ମ୍ୟାଚ୍ ହାରି ନ ଥିବା ଦକ୍ଷିଣ ଆଫ୍ରିକା ଟପରେ ରହି ସେମିରେ ପହଞ୍ଚିଥିଲା ।
ଦକ୍ଷିଣ ଆଫ୍ରିକାକୁ ରେକର୍ଡ ୩୬୩ ରନର ବିଜୟ ଲକ୍ଷ୍ୟ ପିଛା କରିବାର ଥିଲା । ଅଧିନାୟକ ତେମ୍ବା ବାଭୁମା ୫୬ ରନ ଓ ରସି ଭାନ ଡର ଡସେନ ୬୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ମାତ୍ର ମଧ୍ୟ କ୍ରମରେ କୌଣସି ବଡ ଭାଗିଦାରୀ ହୋଇ ପାରି ନ ଥିଲା । ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ୬୭ ବଲରୁ ଅପରାଜିତ ୧୦୦ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ । ତାଙ୍କର ଏହି ଇନିଂସରେ ୧୦ ଚୌକା ଓ ୪ ଛକା ସାମିଲ ।
ଏହା ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରଚିନ ରବିନ୍ଦ୍ର ଓ କେନ ୱିଲିୟମ ଦ୍ୱିଶତକୀୟ ଭାଗିଦାରୀ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । କରି ରଚିନ ରବୀନ୍ଦ୍ରଙ୍କ ୧୦୮ ରନ ଓ କେନ ୱିଲୟମସନଙ୍କ ୧୦୨ ରନର ଶତକୀୟ ଇନିଂସ ଖେଳିଥିଲେ । ଆଉ ଶେଷ ଆଡକୁ ଗ୍ଲେନ ଫିଲିପ୍ସ ୨୭ ବଲରୁ ବିସ୍ଫୋରକ ୪୯ ରନର ଇନିଂସ ଖେଳିବାରୁ ନ୍ୟୁଜିଲାଣ୍ଡ ୩୬୨ ରନର ବିଶାଳ ସ୍କୋରରେ ପହଞ୍ଚି ପାରିଥିଲା ।