ଭୁବନେଶ୍ୱର: ବିଜେଡ଼ି ଯୁବ ନେତା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ ଘରେ ଯାଞ୍ଚ ବେଳେ ଇଓଡବ୍ଲ୍ୟୁ ବଡ଼ ସଫଳତା ମିଳିଛି । ରାଜା ଚକ୍ରଙ୍କ ଘରୁ ଇଓଡବ୍ଲ୍ୟୁ ୧୦ଟି ହାଇୱା ଗାଡ଼ି ଜବତ କରିଛି । ଜବତ ଗାଡ଼ି ଗୁଡ଼ିକୁ କୋଇଡ଼ା ଥାନାକୁ ହସ୍ତାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଚଢ଼ଉବେଳେ ଏହି ଗାଡ଼ି ମିଳିଛି ।
କୋଟି କୋଟି ଟଙ୍କାର ପରିବହନ ଠକେଇ ଅଭିଯୋଗରେ ବିଜେଡି ନେତା ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଓ ଏସଟିଏଫର ଟିମ୍ ଘାଣ୍ଟୁଛି । ତାଙ୍କର ୧୦ଟି ସ୍ଥାନରେ ମିଳିତ ଚଢ଼ାଉ କରାଯାଇଛି । ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ସୋମବାର ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମାରାଥନ୍ ଜେରା କରିଥିଲା । କେନ୍ଦୁଝର, ଗୋପାଳପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ଵର ଆଦି ସ୍ଥାନରେ ଚଢ଼ଉ କରାଯାଇଛି । ଭୁବନେଶ୍ଵର ପାହାଳରେ ଥିବା ଏକ ଆପାର୍ଟମେଣ୍ଟ ରାଜାଙ୍କ ନାମରେ ଥିବା ଜଣାପଡ଼ିଛି ।
ଟଙ୍କା ହେରଫେର ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତି ଲିମିଟେଡ ୨୦୦୬ରେ ପଞ୍ଜୀକୃତ ହୋଇଥିଲା । ଗନ୍ଧମାର୍ଦ୍ଦନ ଖଣି ଦ୍ୱାରା କ୍ଷତିଗ୍ରସ୍ତ ପରିବାରକୁ କର୍ମସଂସ୍ଥାନ ଯୋଗାଇବା ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ଥିଲା । ୨୦୧୭-୧୮ରୁ ୨୦୨୩-୨୪ ଆର୍ଥକ ବର୍ଷ ପର୍ଯ୍ୟନ୍ତ ସଂସ୍ଥାର ଅଡିଟ୍ ହୋଇ ନ ଥିଲା । କିନ୍ତୁ ଏ ନେଇ କେହି ପୂର୍ବରୁ ମୁହଁ ଖୋଲୁ ନ ଥିଲେ ।