ପୁରୀ: ବେଳାଭୂମିରେ ବିଛାଯାଇଛି ରେଡ କାରପେଟ l ନିର୍ମାଣ ହୋଇଛି ବିବାହ ମଣ୍ଡପ l ରଜନୀ ଗନ୍ଧା ଓ ଫୁଲ ମାଳ ସହ ସଜାଯାଇଛି ବିବାହ ମଣ୍ଡପ l ବିବାହ ବେଦି ଆଉ ବିବାହ ଉତ୍ସବ ଦେଖିବାପାଇଁ ସମ୍ପର୍କୀୟଙ୍କ ଉଦେଶ୍ୟରେ ପଡିଛି ସୁସଜ୍ଜିତ ଚେୟାର l ତେବେ ହଟାତ ଏ ସବୁକୁ ପୁରୀ ମୁନିସପାଲଟି ପକ୍ଷରୁ ଉଛେଦ କରାଯାଇଥିଲା l ତେବେ ବେଳାଭୂମିରେ ଏହି ବିବାହ ଉତ୍ସବ କରିବା ନେଇ ଅନୁମତି ପୁରୀ ମୁନିସପାଲଟି ପକ୍ଷରୁ ଦିଆଯାଇଥିବା ବିବାହ ଆୟୋଜନ କରୁଥିବା ସମ୍ପର୍କୀୟ ମାନେ ମତ ରଖିଥିଲେ l ଏ ନେଇ ମୁନିସପାଲଟି ଅଧିକାରୀ ମଧ୍ୟ ବିବାହ ଉତ୍ସବକୁ ନେଇ ଏକ ଅନୁମତି ଦିଆଯାଇଥିବା ମାନିଥିବାବେଳେ ଭୋଜି ପାଇଁ କୌଣସି ଅନୁମତି ଦେଇନଥିବା ମତ ରଖିଥିଲେ l ତେବେ ମୁନିସପାଲଟି ଅଧିକାରୀଙ୍କ ଏହି ଅନୁମତିକୁ ନେଇ ପୁରୀର ବିଭିନ୍ନ ଇଭେଣ୍ଟ ସଂସ୍ଥା ପକ୍ଷରୁ ପ୍ରଶ୍ନ ଉଠାଯାଇଛି l
ବେଳାଭୂମି ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ବେଳାଭୂମିରେ ବିବାହ ଉତ୍ସବ ହେଉଥିବା ନେଇ ଖବର ମିଳିବା ପରେ ଏହାକୁ ଉଛେଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l ବେଆଇନ ଭାବେ ବେଳାଭୂମିରେ ହୋଇଥିବା ଏହି ମଣ୍ଡପ କୁ ତତକ୍ଷଣାତ ଉଛେଦ କରାଯାଇଥିବାବେଳେ କୌଣସି ବ୍ୟକ୍ତିଗତ ବିବାହ ଉତ୍ସବ ପାଇଁ ବେଳାଭୂମି ସ୍ଥାନ ନୁହେଁ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ l
ଅନ୍ୟପକ୍ଷରେ ପୁରୀ ମୁନିସପାଲଟି ଅଧିକାରୀ ବିବାହ ଉତ୍ସବ କରିବା ନେଇ ଦେଇଥିବା ଅନୁମତି ପତ୍ର ବେଆଇନ ଅଟେ, ବୋଲି ଜିଲ୍ଲପାଳ କହିଥିବାବେଳେ ଏ ସଂକ୍ରାନ୍ତରେ ଅଧିକ ତର୍ଜମା କରାଯିବ ବୋଲି ମତ ରଖିଛନ୍ତି l ସେପଟେ ବିବାହ ମଣ୍ଡପ ଭାଙ୍ଗିଯିବା ପରେ ଝିଅ ଘର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି l