ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ଦୁଇ ଦଳ ଏ ଗ୍ରୁପରେ ଥିଲେ । ଭାରତୀୟ ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଏବଂ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲ୍ ମ୍ୟାଚ୍ ଦୁବାଇରେ ଖେଳାଯିବ ।
୨୦୦୦ ମସିହା ପରେ ପ୍ରଥମ ଥର ଭାରତ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ୨୦୦୦ ମସିହାରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଥିଲେ ଏବଂ ଚୂଡାନ୍ତ ଏକାଦଶରେ ସଚିନ ତେନ୍ଦୁଲକର, ଯୁବରାଜ ସିଂ, ରାହୁଲ ଦ୍ରାବିଡ, ଅଜିତ ଅଗକର, ଅନିଲ କୁମ୍ବଲେ, ଜାହିର ଖାନଙ୍କ ପରି ତାରକା ଖେଳାଳି ଥିଲେ ।
ସେହି ସମୟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଥିଲା । ଅଧିନାୟକ ଗାଙ୍ଗୁଲି ୧୧୭ ରନର ଦମଦାର ଇନିଂସ ଖେଳିଥିଲେ । ସଚିନ ତେନ୍ଦୁଲକର ୬୯ ରନ କରିଥିଲେ । ଉଭୟ ମିଶି ପ୍ରଥମ ୱିକେଟରେ ୧୪୧ ରନ ଯୋଡିଥିଲେ । ଏହା ପରେ ଅନ୍ୟ ବ୍ୟାଟର ବଡ ଇନିଂସ ଖେଳି ନ ପାରିବାରୁ ଭାରତ ୨୬୪ ରନରେ ସୀମିତ ରହିଥିଲା । ଜବାବରେ ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିସ କେନର୍ସ ୧୦୨ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ଦୁଇଟି ବଲ ବଳକା ଥାଇ ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା । ଆଉ ଭାରତକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ସଂପ୍ରତି ଦୁଇ ଦଳ ବହୁତ ମଜବୁତ ହୋଇଥିଲେ ହେଁ ଭାରତୀୟ ଦଳ ପାଖରେ ଭଲ ସୁଯୋଗ ରହିଛି । ଦଳ ୨୫ ବର୍ଷ ତଳ ପରାଜୟର ପ୍ରତିଶୋଧ ନେଇ ପାରିବ । ଭାରତ ଦୁବାଇରେ ନିଜର ସମସ୍ତ ମ୍ୟାଚ୍ ବିଜୟ ହାସଲ କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଏଠାରେ ଗୋଟିଏ ମୁକବିଲା ଖେଳିଛି । ତେଣୁ ମ୍ୟାଚରେ ଭାରତର ପଲ୍ଲା ଭାରି ରହିପାରେ ।