ବରଗଡ଼: ଭାରତୀୟ ଖାଦ୍ୟ ନିଗମର ଶ୍ରମିକ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ଉ କରିଛି । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରମାଣପୁର ସ୍ଥିତ ଆନ୍ଧ୍ରପଡ଼ାରେ ଜି.ସତ୍ୟନାରାୟଣଙ୍କ ବାସଭବନରେ ବୁଧବାର ସକାଳ ୭ଟାରୁ ସିବିଆଇ ଟିମ୍ ଚଢଉ କରିଛି । ଏଥିରେ ୧୦ ଜଣିଆ ଟିମ୍ ସାମିଲ ହୋଇଛନ୍ତି ।
ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଶ୍ରମିକମାନଙ୍କ ପାଇଁ ଆସୁଥିବା ପାରିଶ୍ରମିକକୁ ସେ ଦେଉନଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କ ଘରେ ସିବିଆଇ ରେଡ୍ କରିଛି । ସତ୍ୟନାରାୟଣଙ୍କ ବାସଭବନ ସମେତ ଗଉରଟିକ୍ରା ସ୍ଥିତ ଧାନ ବିହନ ଉତ୍ପାଦନ କେନ୍ଦ୍ରରେ ସିବିଆଇ ଟିମ ଯାଞ୍ଚ କରୁଛି । ଖାଲି ସେତିକି ନୁହେଁ ଜି. ସତ୍ୟନାରାୟଣଙ୍କ ଜି.ଉମାମହେଶଙ୍କୁ ସିବିଆଇ ଘରୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ କାହିଁକି ସିବିଆଇ ଏହି ଚଢ଼ଉ କରିଛି ଏବଂ କଣ ପଚରାଉଚରା କରୁଛି ସେ ନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।