ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି । ତାଙ୍କର ବିପୁଳ ପରିମାଣର ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଶେଷରେ ଗିରଫ ହୋଇଛନ୍ତି ।
ଗତକାଲି ଓଏସସିଏସସି ଲିମିଟେଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜରଙ୍କ କ୍ୟାର୍ଯ୍ୟାଳୟ ରେ ଜୁନିୟର ଆକାଉଣ୍ଟାଣ୍ଟ ଥିବା ରବୀନ୍ଦ୍ର କୁମା ବାରିକଙ୍କ ଘରେ ଭିଜିଲାନ୍ସ ପଶିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସମେତ ୫ଟି ଠିକଣାରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ଆକାଣ୍ଟାଣ୍ଟଙ୍କ ବାଲେଶ୍ଵର ଜିଲ୍ଲା ଗୋପାଳ ଗାଁରେ ତିନି ମହଲା କୋଠା, ବାଲେଶ୍ୱରର ସହରରେ ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ଜିମ୍ ଓ କଲ୍ୟାଣ ମଣ୍ଡପ ଠାବ କରାଯାଇଥିଲା । ସେହିପରି ବାରିପଦାରେ ଏକ ଘର, ବାଲେଶ୍ୱରରେ ୪ଟି ବହୁମୂଲ୍ୟ ପ୍ଲଟ୍, ୧୭୫ ଗ୍ରାମ ସୁନା ଏବଂ ୪୩.୮୧ ଲକ୍ଷ ଜମା ରାଶି ମଧ୍ୟ ମିଳିଛି । ଏହା ପରେ ଆକାଉଣ୍ଟାଣ୍ଟ ବାରିକଙ୍କୁ ଅଟକ ରଖାଯାଇଥିଲା । ପଚରାଉଚରା ସମୟରେ ଠାବ ସମ୍ପତ୍ତିର ସଠିକ୍ ଉତ୍ତର ନ ଦେଇପାରିବାରୁ ଗିରଫ ହୋଇଛନ୍ତି ।
ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶରେ ହୋଇଥିବା ଚଢାଉରେ ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ୍ ଥିଲେ ।