ମାଲକାନଗିରି: ଭାଙ୍ଗୁଛି ଲାଲଦୁର୍ଗ। ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୁଲିସ୍ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ। ହିଂସାର ପଥ ଛାଡି ଆତ୍ମସମର୍ପଣ କଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୁଲିସ୍ ଡିଜି ପ୍ରକାଶ କରିଛନ୍ତି।
ଦିନକୁ ଦିନ ମାଓ ସଙ୍ଗଠନ ଭାଙ୍ଗିବାରେ ଲାଗିଛି। ଅନେକ ବଡ ବଡ ମାଓ ନେତା ଓ ମାଓବାଦୀ ମାନେ ଜୀବନ ବଞ୍ଚାଇ ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଏହି ଆତ୍ମସମର୍ପଣକାରୀଙ୍କ ମାଓବାଦୀଙ୍କ ନାଁରେ ୨କୋଟି ୨୫ ଲକ୍ଷ ରୁ ଅଧିକ ଟଙ୍କା ର ପୁସ୍କାର ରାଶି ଥିଲା। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି। ଦୁଇ ଜଣ ଆନ୍ଧ୍ର ଓଡିଶା ବୋର୍ଡ ଜୋନାଲ କମିଟିର ସଦସ୍ୟ ହୋଇଥିବାବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି। ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ।
ଅଧିକ ପଢନ୍ତୁ: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ , ବଳି ପଡିଲା ଶହ ଶହ କୁକୁଡ଼ା, ବୋଦା ଓ ପୋଢ଼