ପୁରୀ: ପୁରୀ ସମୁଦ୍ର କୂଳରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି । ସମୁଦ୍ରରେ ଗାଧୋଇବା ବେଳେ ୪ ଜଣ ପର୍ଯ୍ୟଟକ ବୁଡ଼ି ଯାଇଛନ୍ତି । ସେଠାରେ ଉପସ୍ଥିତ ଲାଇଫଗାର୍ଡ ଦଳ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି ।
ଆଜି ସକାଳେ କିଛି ବଙ୍ଗୀୟ ପର୍ଯ୍ୟଟକମାନେ ଚୈତନ୍ୟ ଛକ ସମ୍ମୁଖ କୂଳରେ ଗାଧୋଉଥିଲେ । ଏହି ସମୟରେ ସମୁଦ୍ର ସୁଅରେ ପର୍ଯ୍ୟଟକମାନେ ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ କର୍ମଚାରୀ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ପୁରୀ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ବଡ଼ ଦିନ ଛୁଟି ଏବଂ ନୂଆ ବର୍ଷ ଥିବାରୁ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଅଧିକ ଲାଇଫଗାର୍ଡ ନିୟୋଜିତ କରିବାକୁ ସ୍ଥାନୀୟ ଲୋକେ କହିଛନ୍ତି ।