ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା। ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡ଼ାର ବଡ଼ ଖଳା ଓ କୁମୁରିଆର ସାନଖଳାରେ ପଡ଼ିଲା ବଳି। ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।
ସୂଚନାନୁଯାୟୀ, ପ୍ରତିବର୍ଷ ପୌଷ ମାସ ଶେଷ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳିତ ହୋଇଥାଏ । ଏହି ଅବସରରେ ଗତକାଲି ଠାରୁ ଶୁଲିଆ ଦେହେରୀ ଙ୍କ ଘରେ ନିଶି ପୂଜା ହୋଇଥିଲା । ଏହା ପରେ ସକାଳୁ କନ୍ଧ ଆଦିବାସୀ ମାନେ ପାରମ୍ପରିକ ବାଦ୍ୟ , ପାଟ ବୁକା ଏବଂ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଖଳା ପର୍ଯ୍ୟନ୍ତ ଆସିଥିଲେ । ଖଳାରେ ବରୁଆ ଦେହରେ ଦେବତାଙ୍କୁ ଆଗମନ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ବଳି ଦିଆଯାଇଥିଲା । ଏହା ପରେ ଶ୍ରଦ୍ଧାଳୁ ମାନେ ଆଣିଥିବା ଶହ ଶହ କୁକୁଡ଼ା, ବୋଦା , ପୋଢ଼ ଆଦି ବଳି ଦିଆଯାଇଥିଲା । ପଶୁ ପକ୍ଷୀଙ୍କ ରକ୍ତରେ ଭିଯିଥିଲା ସୁଲିଆ ପୀଠ । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ସୁଲିଆ ଦେବତାଙ୍କୁ ଦର୍ଶନ କରିଥିଲେ । ସ୍ଥାନୀୟ ନେତା ଓ ଜନ ପ୍ରତିନିଧି ମାନେ ମଧ୍ୟ ଶୁଲିଆ ପୀଠ କୁ ଆସି ଦେବତାଙ୍କ ପୂଜାର୍ଚ୍ଚନା କରିବା ସହିତ ଯାତ୍ରାରେ ସାମିଲ ହୋଇଥିଲେ । ଶୁଲିଆ ପୀଠରେ ଥିବା ବିଭିନ୍ନ ସ୍ଥାନରେ ବଣ ଭୋଜି ର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।