ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ବୋରି ଗାଁରେ ରନ୍ଧନ ଗ୍ୟାସ୍ ସିଲିଣ୍ଡରରୁ ଲିକ୍ ହୋଇ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ୱାର୍ଡମେମ୍ବର ପ୍ରଫୁଲ୍ଲ ରାଉଳଙ୍କ ଘରେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ହୋଇଛି । ଫଳରେ ନିଜ ଘର ସହିତ ପଡ଼ୋଶୀଙ୍କ ଘର କାନ୍ଥ ମଧ୍ୟ ଫାଟି ଯାଇଛି । ପ୍ରଫୁଲ୍ଲଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ପ୍ରଫୁଲ୍ଲ ରାଉଳ ଘରେ ଏକା ଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସେ ଗ୍ୟାସ୍ ଲଗାଇବାବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପୁରା ଗାଁ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା । ବିସ୍ଫୋରଣରେ ଘରେ ନିଆଁ ଲାଗିଯାଇଥିଲା ଏବଂ ପ୍ରଫୁଲ୍ଲ ଘରୁ ବାହାରି ପାରିନଥିଲେ । ସେହି ନିଆଁରେ ସେ ଗୁରୁତର ହୋଇପଡ଼ିଥିଲେ । ଏହା ସହିତ ତାଙ୍କର ସମସ୍ତ ବୈଦ୍ୟୁତିକ ସାମଗ୍ରୀ ସହିତ ଅନ୍ୟାନ୍ୟ ଆସବାବ ପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଛି । ପ୍ରଥମେ ପଡ଼ୋଶୀ କିଛି ବୁଝି ପାରିନଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଁଚି ପ୍ରାୟ ଅଧ ଘଣ୍ଟା ପରେ ପ୍ରଫୁଲ୍ଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ପାଖ ପଡ଼ୋଶୀଙ୍କର ଚାରୋଟି ଘରର କାନ୍ଧ ଫାଟି ଦୁଇ ଫାଳ ହୋଇଯାଇଛି । ସମସ୍ତେ ଏହା ପରେ ଭୟଭୀତ ହୋଇଯାଇଛନ୍ତି । ପୋଲିସ ପହଁଚି ଯାଞ୍ଚ ଆରମ୍ଭ କରିଛି ।