ସୁବର୍ଣ୍ଣପୁର/କନ୍ଧମାଳ: ରାଜ୍ୟରେ ବର୍ତ୍ତମାନ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ରାସ୍ତାଘାଟ ସବୁ ଧୂଆଁ ଧୂଆଁ ଦିଶୁଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାର ଖବର ମଧ୍ୟ ସାମ୍ନାକୁ ଆସୁଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏଚ୍ ୧୨୬ (ଏ)ରେ ଏକ ପିକ୍ନିକ୍ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସାଧପାଲ୍ଲୀ ଗାଁ ନିକଟରେ ଧାନ ବୋଝେଇ ଟ୍ରାକ୍ଟର୍ ସହ ପିକ୍ନିକ୍ ବସ୍ ଧକ୍କା ହୋଇଛି । ସେହି ବସରେ ଥିବା ୨୦ରୁ ଉର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ଟିମ୍ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଡ୍ରାଇଭର୍ ମଧ୍ୟ ଆହତ ହୋଇଛନ୍ତି । କିଛି ଛାତ୍ରଛାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ମିତ୍ର ନାମକ ଏକ ଘରୋଇ ବସରେ ପ୍ରାୟ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ବରଗଡ଼ ଜିଲ୍ଲା ଗିଆନରୁ ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ରକୁ ଯାଉଥିଲା । ସେଠାରେ ସମସ୍ତେ ବୁଲାବୁଲି କରିବା ସହିତ ବଣଭୋଜି କରିଥାଆନ୍ତେ । କିନ୍ତୁ ସାଧପାଲ୍ଲୀ ନିକଟରେ ବସଟି ରଙ୍ଗ ରୁଟରେ ଆସିଥିଲା । ଏହି ସମୟରେ ରାଇସ୍ ମିଲ୍ ପାଖରେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଧାନ ବୋଝେଇ ଟ୍ରାକ୍ଟରକୁ ଘନ କୁହୁଡ଼ି ଯୋଗୁଁ ଦେଖି ପାରିନଥିଲେ ବସ୍ ଡ୍ରାଇଭର୍ । ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଡ୍ରାଇଭର୍ ମୃତ
ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଶ୍ରାନିକେତା ଘାଟି ରାସ୍ତାରେ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ପରିବା ବୋଝେଇ ପିକ୍ଅପ୍ ଗାଡ଼ି ଗଛରେ ପିଟି ହୋଇଥିବା କୁହାଯାଉଛି ।
ହେଲପର୍ ଗୁରୁତର ଆହତ
ସେପଟେ ଗଞ୍ଜାମ ଜିଲ୍ଲାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଆସିକା ପାକଲାପଲ୍ଲୀ ଛକ ନିକଟରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ବଲାଙ୍ଗୀରରୁ ହିଞ୍ଜିଳି ଯିବା ସମୟରେ ପାକଲାପଲ୍ଲୀ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ଦେଖିପାରିନଥିଲା । ଫଳରେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଭ୍ୟାନ୍ । ଫଳରେ ହେଲପର୍ ଅଭିଷେକ ଦାସ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।